ଅନୁଗୁଳ: ଗାନ୍ଧୀ ତ ଓଡ଼ିଶା ଅନେକବାର ଆସିଛନ୍ତି ହେଲେ ୧୯୩୪ ମେ ମାସର ଗସ୍ତ ଥିଲା ଟିକେ ସ୍ଵତନ୍ତ୍ର। ସେ ସମୟରେ ଝାରସୁଗୁଡ଼ା, ସମ୍ବଲପୁର ପରେ ଗାନ୍ଧୀ ଆସି ମେ ୫ ତରିଖରେ ବାମୁରରେ ପହଞ୍ଚି ଉପସ୍ଥିତ ଜନତାଙ୍କୁ ମଦ ଏବଂ ଅସ୍ପୃଶ୍ୟତା ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରିଥିଲେ। ଏହାପରେ ସେ ଅନୁଗୁଳ ଅଭିମୁଖେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ସେତେବେଳେ ଅନୁଗୁଳ ଜଣେ ଡେପୁଟି କମିଶନରଙ୍କ ଅଧୀନରେ ଥିଲା।ଗାନ୍ଧୀଙ୍କ ଆଗମନ ଖବରପାଇ ସେ ବ୍ୟସ୍ତ ହୋଇପଡ଼ିଥିଲେ। କିଛି ନ୍ୟସ୍ତସ୍ବାର୍ଥ ଲୋକ ତାଙ୍କୁ ପ୍ରବର୍ତ୍ତାଇଥିଲେ କି ଗାନ୍ଧୀଙ୍କୁ ସହର ଭିତରେ ପୁରାଇ ଦିଆ ନଯାଉ।ଗାନ୍ଧୀଙ୍କ ଲୋକପ୍ରିୟତା,ତାଙ୍କର ଜନ ସମ୍ଭାଷଣ ସହରରେ ଉତ୍ତେଜନା ସୃଷ୍ଟି କରିପାରେ। ସେୟାହିଁ ହେଲା।ଗାନ୍ଧୀଙ୍କୁ ସହର ଭିତରେ ସମାବେଶ ପାଇଁ ଅନୁମତି ମିଳିଲାନି। ସହରର ପାଖ ଦେଇ ଏକ ରାସ୍ତାରେ ନିଆଯାଇ ତାଙ୍କୁ ରାଣିଗୋଡା ଜଙ୍ଗଲ ଅନ୍ତର୍ଗତ ଏକ ଯାଗାରେ ବିଶ୍ରାମର ବ୍ୟବସ୍ଥା କରାଗଲା।
ଏ ଖବର ମଧ୍ୟ ଲୋକଙ୍କୁ ମିଳିଗଲା। ଗାନ୍ଧୀଙ୍କୁ ଦେଖିବା ପାଇଁ ଏବଂ ତାଙ୍କ ମୁହଁରୁ କିଛି ଶୁଣିବା ପାଇଁ ଅସମ୍ଭବ ଭିଡ ଦେଖିବାକୁ ମିଳିଲା ଗାନ୍ଧୀ ସେହି ସଭାରେ ନିଶାମୁକ୍ତ ଭାରତ ଏବଂ ଅସ୍ପୃଶ୍ୟତା ବିରୁଦ୍ଧରେ ଲୋକଙ୍କୁ ସଚେତନ କରାଇଲେ। ମଦ ଓ ଅସ୍ପୃଶ୍ୟତା ଦେଶ ପ୍ରଗତିର ବାଧକ।ଗାନ୍ଧୀ ସେଦିନ ଚାଲି ଆସିଥିବା ରାସ୍ତା ଆଜିର ଗାନ୍ଧୀ ମାର୍ଗ।ଆଉ ଯେଉଁ ଆମ୍ବ ତୋଟlରେ ଭାଷଣ ଦେଇଥିଲେ ତାହା ଆଉ ନାହିଁ, ଘରୋଇ ମାଲିକାନାକୁ ଚାଲିଯାଇଛି।ତେବେ ସେ ଯାଗାର ନିକଟରେ ଗାନ୍ଧୀ ସ୍ମୃତିପୀଠ କରାଯାଇଛି।ପୌରପାଳିକା ପକ୍ଷରୁ ସେଠାରେ ଗାନ୍ଧୀଙ୍କ ଏକ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପନ କରାଯାଇଛି। କିନ୍ତୁ ଗୋଟିଏ କଥା ଗାନ୍ଧୀ ସେଦିନ ଯାହା କହିଥିଲେ ତାର କେତେ ପ୍ରାସଙ୍ଗିକତା ରହିଛି ତାହା ଆପଣମାନେ ବିଚାର କରନ୍ତୁ।