ଜିଲ୍ଲାପାଳଙ୍କ ଶକ୍ତ ଆକ୍ସନ: ଅନୁଗୋଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ

You are currently viewing ଜିଲ୍ଲାପାଳଙ୍କ ଶକ୍ତ ଆକ୍ସନ: ଅନୁଗୋଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲ ମୁକ୍ତ

ଅନୁଗୋଳ: ରାଜ୍ୟରେ ନୂତନ ସରକାରଙ୍କ ଜବରଦଖଲ ଉଚ୍ଛେଦ ନିର୍ଦ୍ଦେଶକୁ ଅନୁଗୋଳ ଜିଲ୍ଲାପାଳ ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ଜିଲ୍ଲାପାଳଙ୍କ ସୂଚନା ଓ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଆଜି ଅନୁଗୋଳ ସହରର କେନ୍ଦ୍ରସ୍ଥଳରେ ଥିବା ପୁରୁଣା କୁକୁଡ଼ା ଫାର୍ମ ନିକଟରୁ ଏକ ବଡ଼ଧରଣର ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସହରର ଏହି ପ୍ରାଇମ ଲୋକେସନରେ ଜମିର ମୂଲ୍ୟ ଗୁଣ୍ଠ ପିଛା ପ୍ରାୟ କୋଟିଏ ଟଙ୍କା ହେବ। ଏଭଳି ସୁନା ମୂଲ୍ୟର ସରକାରୀ ଜମିକୁ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ଗୋଷ୍ଠୀ ମାଡ଼ି ବସିଥିଲେ। ଡାକ୍ତରୀ ସଂଘ, ବ୍ୟବସାୟ ସଂଘ ଓ ବିଭିନ୍ନ ସମ୍ପ୍ରଦାୟ ନାଁରେ ଚତୁଃପାର୍ଶ୍ୱରେ ପାଚେରୀ ବୁଲାଇ ଏହି ମୂଲ୍ୟବାନ ସମ୍ପତ୍ତିକୁ ଜବରଦଖଲ କରାଯାଇଥିଲା।

ଜିଲ୍ଲାପାଳ ବିଶ୍ୱସ୍ତ ସୂତ୍ରରୁ ଏହି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଶକ୍ତ ଆଭିମୁଖ୍ୟ ଯୋଗୁଁ ଆଜି ଘଟଣାସ୍ଥଳରେ ତହସିଲଦାର, ମାଜିଷ୍ଟ୍ରେଟ୍ ଏବଂ ପୋଲିସ ଫୋର୍ସଙ୍କ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ପୌରପାଳିକା ପକ୍ଷରୁ ବୁଲଡୋଜର ସାହାଯ୍ୟରେ ଉଚ୍ଛେଦ ପ୍ରକ୍ରିୟା ଶେଷ ହୋଇଛି। କିଛି ସଂସ୍ଥା ନିଜ ଆଡ଼ୁ ଦିନେ ଦୁଇ ଦିନ ମଧ୍ୟରେ ଜମି ଖାଲି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଉଚ୍ଛେଦ ହୋଇଥିବା ଏହି ସରକାରୀ ଜମିରେ ଆଗାମୀ ଦିନରେ ଏକ ସ୍କିଲ୍ ତଥା ମ୍ୟୁନିସିପାଲ ଡେଭଲପମେଣ୍ଟ ସେଣ୍ଟର (ପୌର ଉନ୍ନୟନ କେନ୍ଦ୍ର) ନିର୍ମାଣ କରାଯିବ ବୋଲି ପ୍ରାଥମିକ ସୂଚନା ମିଳିଛି। ଜିଲ୍ଲାପାଳଙ୍କ ଏହି ତ୍ୱରିତ ଓ କଠୋର ଆକ୍ସନ ପରେ ସ୍ଥାନୀୟ ଜମି ମାଫିଆ ଏବଂ ବେଆଇନ ଜବରଦଖଲକାରୀଙ୍କ ମଧ୍ୟରେ ଛନକା ପଶିଯାଇଛି।

Share

Leave a Reply