ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ, ଏମ୍.ଏସ୍ସି ପରିବେଶ ବିଜ୍ଞାନ ଏବଂ ‘ଇକୋ କ୍ଲବ୍’ ର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ପରିବେଶ ଦିବସ-୨୦୨୬ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ପରିବେଶ ଅନୁକୂଳ ଓ ସବୁଜ ସୁନ୍ଦର ରଖିବା ପାଇଁ କୁଳପତି ପ୍ରଫେସର ଚଣ୍ଡୀପ୍ରସାଦ ନନ୍ଦଙ୍କ ପ୍ରେରଣା ଓ ମାର୍ଗଦର୍ଶନରେ ଏହି ବିଶେଷ ସମାରୋହ ଆୟୋଜିତ ହୋଇଥିଲା
ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ “ପ୍ରକୃତି ଦ୍ୱାରା ଅନୁପ୍ରାଣିତ, ଜଳବାୟୁ ପାଇଁ, ଆମ ଭବିଷ୍ୟତ ପାଇଁ” ବିଷୟବସ୍ତୁକୁ ଆଧାର କରି ବିଶ୍ଵ ପରିବେଶ ଦିବସ ୨୦୨୬ ଉଦ୍ଭିଦ ବିଭାଗ ସ୍ଥିତ ପ୍ରଫେସର ବିଦ୍ୟାଧର ପାଢ଼ୀ ମେମୋରିଆଲ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପରିବେଶ ସମିତିର
ସଭାପତି ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ ମୁଖ୍ୟ ବକ୍ତା ଏବଂ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ର ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଚିନ୍ମୟ ପ୍ରଧାନ ମଞ୍ଚାସୀନ ଅତିଥିମାନଙ୍କର ଆନୁଷ୍ଠାନିକ ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ।
ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ବିଶେଷଜ୍ଞମାନେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବାରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ଆଜିର କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମୁଖ୍ୟ ବକ୍ତା ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ ବୃକ୍ଷଲତାର ସୁରକ୍ଷା ଉପରେ ବିଶେଷ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରାକୃତିକ ସମ୍ପଦର ସଠିକ୍ ପରିଚାଳନା ଓ ପରିବେଶକୁ ସୁରକ୍ଷିତ ରଖିବାକୁ ହେଲେ ଆମକୁ ‘ଏବେ ହିଁ’ ପଦକ୍ଷେପ ନେବାକୁ ପଡ଼ିବ।
ଏହି ପରିବେଶ ଆଲୋଚନାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସେଠାରେ ମିଳିଥିବା ପରିବେଶ ସୁରକ୍ଷାର ବାର୍ତ୍ତାକୁ ଆଗକୁ ନେଇ ଅନ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବାକୁ ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
କାର୍ଯ୍ୟକ୍ରମ ଶେଷରେ ବିଭାଗର ସହକାରୀ ପ୍ରଫେସର ତଥା ବିଶ୍ୱବିଦ୍ୟାଳୟ ଇକୋ କ୍ଲବ୍ର ଓଏସ୍ଡି ଡକ୍ଟର ଭବତାରିଣୀ ପଣ୍ଡା ସମସ୍ତ ଅତିଥି, ଅଧ୍ୟାପକ, ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।











