ଅନୁଗୋଳ: ସହରର ମାଳତୀ ଆଶ୍ରମ ଛକ ନିକଟସ୍ଥ ଉତ୍କଳ ନବଜୀବନ ମଣ୍ଡଳ କ୍ୟାମ୍ପସରେ ଥିବା ଶ୍ରୀ ଅରୋମିରା ଫିଜିଓଥେରାପି କ୍ଲିନିକରେ ଶୁକ୍ରବାର ଏକ ସୁପର ସ୍ପେସିଆଲିଟି ଓପିଡିର ଶୁଭ ଉଦଘାଟନ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଶ୍ରୀ ହସ୍ପିଟାଲର ପରିଚାଳନା ନିର୍ଦେଶକ ତଥା ବିଶିଷ୍ଟ ଅର୍ଥୋପେଡିକ୍ ସର୍ଜନ ଡା. ଦେବଦତ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଓପିଡି ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଫିଜିଓଥେରାପିଷ୍ଟ ଡା. ସନତ ନଳିନୀ ରାୟ, ସୂର୍ଯ୍ୟମଣି ରାୟ ଏବଂ ଉତ୍କଳ ନବଜୀବନ ମଣ୍ଡଳର ଅଧ୍ୟକ୍ଷ ସିବରାମ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଡା. ଦେବଦତ୍ତ ସାହୁ ସୂଚନା ଦେଇଛନ୍ତି ଯେ, ଏହି ସୁପର ସ୍ପେସିଆଲିଟି ଓପିଡି ମାଧ୍ୟମରେ ଅନୁଗୁଳ ଓ ଆଖପାଖ ଅଞ୍ଚଳର ରୋଗୀମାନେ ଏବେ ଗୋଟିଏ ସ୍ଥାନରେ ବହୁ ବିଭାଗର ଉନ୍ନତ ଚିକିତ୍ସା ପାଇପାରିବେ। ଏଠାରେ ଉପଲବ୍ଧ ସେବାଗୁଡିକ ହେଲା ଅର୍ଥୋପେଡିକ, କାର୍ଡିଓଲୋଜି, ୟୁରୋଲୋଜି, ଇଏନଟି, ପଲମୋନାରୀ ମେଡିସିନ, ଜେନେରାଲ ସର୍ଜରୀ, ଗାଇନୋକୋଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, ନ୍ୟୁରୋସର୍ଜରୀ, ଏଣ୍ଡୋକ୍ରିନୋଲୋଜି, ସାଇକିଆଟ୍ରିଷ୍ଟ, ପାଥୋଲୋଜି, ଇସିଜି, ଫିଜିଓଥେରାପି ଓ ପେଡିଆଟ୍ରିକ୍। “ବାରମ୍ବାର ଭୁବନେଶ୍ୱର ବା କଟକ ଯିବାର ଆବଶ୍ୟକତା ଆଉ ପଡିବ ନାହିଁ। ହାଡ଼ ଭଙ୍ଗାରୁ ହୃଦରୋଗ, ନାକ-କାନ-ଗଳା ରୋଗରୁ ମାନସିକ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁ ସେବା ଏଠି ମିଳିବ,” ବୋଲି ଡା. ସାହୁ କହିଛନ୍ତି।
ସେହିପରି ଉତ୍କଳ ନବଜୀବନ ମଣ୍ଡଳର ଅଧ୍ୟକ୍ଷ ସିବରାମ ମିଶ୍ର କହିଛନ୍ତି, ‘ଆମ କ୍ୟାମ୍ପସରେ ୧୫ଟି ବିଭାଗର ସୁପର ସ୍ପେସିଆଲିଟି ଓପିଡି ଆରମ୍ଭ ହେବା ଅନୁଗୋଳ ଜିଲ୍ଲା ପାଇଁ ଏକ ବଡ଼ ଉପଲବ୍ଧି’।
ଏହି ସୁପର ସ୍ପେସିଆଲିଟି ଓପିଡି ପ୍ରତି ମାସର ନିର୍ଦ୍ଧାରିତ ଦିନରେ ଶ୍ରୀ ଅରୋମିରା ଫିଜିଓଥେରାପି କ୍ଲିନିକ, ଉତ୍କଳ ନବଜୀବନ ମଣ୍ଡଳ କ୍ୟାମ୍ପସ, ମାଳତୀ ଆଶ୍ରମ ଛକ, ଅନୁଗୁଳରେ ଉପଲବ୍ଧ ହେବ। ଅଗ୍ରୀମ ବୁକିଂ ଓ ଅଧିକ ସୂଚନା ପାଇଁ କ୍ଲିନିକ ସହ ଯୋଗାଯୋଗ କରିପାରିବେ।











