ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ସ୍ବାସ୍ଥ୍ୟସେବା ଏବେ ଭଗବାନ ଭରସାରେ ଚାଲିଛି। ହସ୍ପିଟାଲର ପୁରୁଷ ସର୍ଜରୀ ୱାର୍ଡରେ କର୍ମଚାରୀଙ୍କ ଦବଙ୍ଗଗିରି ଏବଂ ଅମାନବୀୟ ଆଚରଣକୁ ନେଇ ଜନଅସନ୍ତୋଷ ତୀବ୍ର ହୋଇଛି। ସୋମବାର ପୁରୁଷ ସର୍ଜରୀ ୱାର୍ଡରେ ଜଣେ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ବେଳେ ପୁରୁଷ ନର୍ସ ଜଣକ ରୋଗୀଙ୍କ ପରିବାର ସଦସ୍ୟଙ୍କ ସହ ଅତ୍ୟନ୍ତ ଅସଦାଚରଣ କରିଥିଲେ। ସବୁଠୁ ଲଜ୍ଜାଜନକ କଥା ହେଉଛି, ସେ ସର୍ବସମ୍ମୁଖରେ ରୋଗୀଙ୍କ ଲୁଙ୍ଗି ଟାଣିବାକୁ ମଧ୍ୟ ପଛାଇ ନଥିଲେ।
ଏହା ବ୍ୟତୀତ ହସ୍ପିଟାଲର ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି। ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନର୍ସମାନେ ନିଜେ ତାଲା ପକାଇ ବ୍ୟବହାର କରୁଛନ୍ତି, ଯାହାଫଳରେ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏସି ୱାର୍ଡ ହୋଇଥିବାରୁ ସିକ୍ୟୁରିଟି ଓ ମେହେନ୍ତରମାନେ ରୋଗୀ ଶଯ୍ୟାରେ ବିଶ୍ରାମ ନେଉଛନ୍ତି। ୱାର୍ଡ ଭିତରେ ମୋବାଇଲ ରିଲ୍ସ ଓ ହାସ୍ୟରୋଳ ଶାନ୍ତିରେ ଶୋଇବାକୁ ଦେଉନାହିଁ। ନର୍ସ ନିଯୁକ୍ତିରେ ଜାଲିଆତି ଘଟଣାକୁ ନେଇ କର୍ମଚାରୀମାନେ ମାନସିକ ଚାପରେ ଥିବା କହି ନିଜ ଦୋଷ ଲୁଚାଉଛନ୍ତି। ୭୦ ରୋଗୀଙ୍କ ପାଇଁ ଜଣେ ନର୍ସ ଥିବା ଦର୍ଶାଇ ସେମାନେ ନିଜର ଦାୟିତ୍ୱହୀନତାକୁ ସମର୍ଥନ କରୁଛନ୍ତି। ତୁରନ୍ତ ଏହି ୱାର୍ଡର ଅବସ୍ଥା ସୁଧାରିବାକୁ ଏବଂ ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।











