ଭସାଣି ବେଳେ ମେଢ଼ ଯାଇ ନ ପାରିବାରୁ ଉତ୍ତେଜନା

You are currently viewing ଭସାଣି ବେଳେ ମେଢ଼ ଯାଇ ନ ପାରିବାରୁ ଉତ୍ତେଜନା

ଅନୁଗୋଳ : ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ସମୟରେ ଆଲୋକ ତୋରଣର ଉଚ୍ଚତାକୁ ନେଇ ଅନୁଗୋଳ ସହରରେ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ଶିମିଳିପଡ଼ାରେ ଅସାବଧାନତା ଯୋଗୁଁ ଦେବୀଙ୍କ ଶାଢ଼ିରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଏହି ଦୁଇଟି ଘଟଣା ପୂଜା ଆୟୋଜନରେ ସୁରକ୍ଷା ବ୍ୟବସ୍ଥା ଓ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନକୁ ନେଇ ପ୍ରଶ୍ନ ଉଠାଇଛି।

ସୂଚନା ଅନୁଯାୟୀ, ଗତକାଲି ଅନୁଗୋଳ ସହରରେ ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ଚାଲିଥିବା ସମୟରେ ରାଣୀଗୋଡ଼ା ଷ୍ଟେସନ ରୋଡ୍ ପୂଜା ମଣ୍ଡପର ମେଢ଼ ଅମଲାପଡ଼ା ନିକଟରେ ଅଟକି ଯାଇଥିଲା। ରାସ୍ତାରେ ନିର୍ମାଣ ହୋଇଥିବା ଆଲୋକ ତୋରଣର ଉଚ୍ଚତା ୧୮ ଫୁଟ୍ ବଦଳରେ ୧୬ ଫୁଟ୍ ରଖାଯାଇଥିବା ରାଣୀଗୋଡ଼ା ପୂଜା କମିଟିର କର୍ମକର୍ତ୍ତା ଅଭିଯୋଗ କରିଥିଲେ। ଫଳରେ ମେଢ଼ ଆଗକୁ ଯାଇ ନପାରିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

ଖବର ପାଇ ପୁଲିସ ଓ କେତେକ ସ୍ୱେଚ୍ଛାସେବୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ପରେ ପୂଜା କମିଟି ପକ୍ଷରୁ ସାଉଣ୍ଡ ସିଷ୍ଟମର କିଛି ଅଂଶ ଖୋଲାଯିବା ପରେ ଶୋଭାଯାତ୍ରା ଆଗକୁ ବଢ଼ିଥିଲା।

ଅନ୍ୟପକ୍ଷରେ, ଟେଣ୍ଟ ହାଉସ୍ ମାଲିକମାନେ ପ୍ରଶାସନର ନିର୍ଦ୍ଦେଶାବଳୀକୁ ଅଣଦେଖା କରି ନିଜ ଇଚ୍ଛା ଅନୁସାରେ ତୋରଣ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି। ଜରୁରୀକାଳୀନ ପରିସ୍ଥିତି କିମ୍ବା ଅଗ୍ନିକାଣ୍ଡ ସମୟରେ ଆବଶ୍ୟକ ଉଚ୍ଚତା ଓ ଖୋଲା ସ୍ଥାନ ନଥିଲେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଗୁରୁତର ପରିସ୍ଥିତି ଉପୁଜିପାରେ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସେହିପରି ଗତକାଲି ଶିମିଳିପଡ଼ାରେ ସ୍ଥାନୀୟ ପୂଜା ମଣ୍ଡପର ଭସାଣି ଶୋଭାଯାତ୍ରା ଚାଲିଥିବା ବେଳେ ଦେବୀଙ୍କ ଶାଢ଼ିରେ ନିଆଁ ଲାଗିଯାଇଥିଲା। ତେବେ ନିକଟରେ ଉପସ୍ଥିତ ଲୋକେ ତୁରନ୍ତ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ପରେ ଜଣେ ଶ୍ରଦ୍ଧାଳୁ ଦେବୀଙ୍କ ପାଇଁ ନୂଆ ଶାଢ଼ୀ ଆଣି ଦେବା ପରେ ତାହା ପିନ୍ଧାଯାଇଥିଲା ଏବଂ ଶୋଭାଯାତ୍ରା ପୁନର୍ବାର ଆଗକୁ ବଢ଼ିଥିଲା।

ଆଗକୁ ଲକ୍ଷ୍ମୀପୂଜା ଥିବାରୁ ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଲାଗି ପୂଜା କମିଟି ଓ ଟେଣ୍ଟ ହାଉସ୍ ମାଲିକମାନେ ପ୍ରଶାସନର ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ପରାମର୍ଶ ଦେଇଛନ୍ତି।

Share

Leave a Reply