ଅନୁଗୋଳ: ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟ ରକ୍ଷା ସହ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିଛି ଅନୁଗୋଳର ସାମାଜିକ ଅନୁଷ୍ଠାନ ସାଥୀ ପରିବାର। ପ୍ଲାଷ୍ଟିକ ପ୍ରଦୂଷଣରୁ ପ୍ରାକୃତିକ ପରିବେଶକୁ ରକ୍ଷା କରିବା ଲକ୍ଷ୍ୟରେ ଅନୁଷ୍ଠାନ ପକ୍ଷରୁ ଚାଲିଛି ‘ପ୍ଲାଷ୍ଟିକମୁକ୍ତ ଓଡ଼ିଶା ପର୍ଯ୍ୟଟନ’ ଅଭିଯାନ। ଗତ ୫ ବର୍ଷ ଧରି ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀରୁ ୨ ଟନ୍ରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରି ପୁନଃଚକ୍ରଣ ପାଇଁ ଦେଇଛନ୍ତି ଅନୁଷ୍ଠାନର ସଦସ୍ୟମାନେ।
ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ବର୍ଦ୍ଧିତ ବ୍ୟବହାର ଏବେ ପରିବେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। ଏହାର ପ୍ରଭାବ ଅନୁଗୋଳ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳୁଛି। ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, ସାତକୋଶିଆ ଗଣ୍ଡ, ଡେରଜାଙ୍ଗ ଡ୍ୟାମ୍ ଓ ମନ୍ଦରଗିରି ପାହାଡ଼ ଭଳି ସ୍ଥାନରେ ପ୍ଲାଷ୍ଟିକ ଆବର୍ଜନା ପରିବେଶ ଓ ପର୍ଯ୍ୟଟନର ସୌନ୍ଦର୍ଯ୍ୟକୁ ପ୍ରଭାବିତ କରୁଛି।
ଏହି ସମସ୍ୟାର ସମାଧାନ ପାଇଁ ପ୍ରାୟ ୫ ବର୍ଷ ପୂର୍ବେ ସାଥୀ ପରିବାର ଏହି ଅଭିଯାନ ଆରମ୍ଭ କରିଥିଲା। ଅନୁଷ୍ଠାନର ସଦସ୍ୟମାନେ ଛୁଟିଦିନରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଇ ପ୍ଲାଷ୍ଟିକ ଆବର୍ଜନା ସଫା କରିବା ସହ ସଂଗୃହୀତ ଆବର୍ଜନାକୁ ପୁନଃଚକ୍ରଣ ପାଇଁ କବାଡ଼ି ଦୋକାନରେ ଜମା କରୁଛନ୍ତି। ଏହାଦ୍ୱାରା ପ୍ଲାଷ୍ଟିକ ଆବର୍ଜନାର ଉପଯୁକ୍ତ ପରିଚାଳନା ସହ ପ୍ରକୃତିର ସୁରକ୍ଷା ପାଇଁ ଉଦ୍ୟମ କରାଯାଉଛି।

ଦଶହରା ଛୁଟି ଅବସରରେ ରବିବାର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ପମ୍ପାସରଠାରେ ସଫେଇ ଅଭିଯାନ କରାଯାଇଥିଲା। ଏଠାରୁ ୪୦ କେଜିରୁ ଅଧିକ ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇ ପୁନଃଚକ୍ରଣ ପାଇଁ ଦିଆଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସାଥୀ ପରିବାରର ସୌଭାଗ୍ୟ ସାହୁ, ସ୍ୱରୂପ ସାହୁ, ସୌମ୍ୟରଞ୍ଜନ ଥମ୍ବ, ସିଦ୍ଧାର୍ଥ ପ୍ରଧାନ, ସୁଦର୍ଶନ ପ୍ରଧାନ ଓ ସୁବ୍ରତ କୁମାର ପ୍ରଧାନ ସାମିଲ ହୋଇଥିଲେ।

ଆଗାମୀ ଦିନରେ ଅନୁଗୋଳ ଜିଲ୍ଲାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ କରିବା ସହ ପର୍ଯ୍ୟଟନର ବିକାଶକୁ ଅଧିକ ସୁଦୃଢ଼ କରିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟକ୍ରମ ଜାରି ରଖିବାକୁ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ପର୍ଯ୍ୟଟନସ୍ଥଳୀକୁ ସଫା ରଖିବାରେ ସାଧାରଣ ଲୋକଙ୍କ ସହଯୋଗ ମଧ୍ୟ ଜରୁରୀ ବୋଲି ଏହି ଅଭିଯାନ ବାର୍ତ୍ତା ଦେଉଛି।
















