୮ ବର୍ଷ ପରେ ନିର୍ବାଚନ, ଶପଥ ନେଲେ ନବନିର୍ବାଚିତ ଛାତ୍ର ପ୍ରତିନିଧି

You are currently viewing ୮ ବର୍ଷ ପରେ ନିର୍ବାଚନ, ଶପଥ ନେଲେ ନବନିର୍ବାଚିତ ଛାତ୍ର ପ୍ରତିନିଧି

ଅନୁଗୋଳ: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଅନୁଗୋଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶେଷ ହୋଇଥିବାବେଳେ ଗୁରୁବାର ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ଶପଥ ଗ୍ରହଣ କରିଛନ୍ତି। ମହାବିଦ୍ୟାଳୟ ପରିସରରେ ପୂର୍ବାହ୍ନ ୧୧ଟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବସନ୍ତ କୁମାର ସାହୁ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ଶପଥ ପାଠ କରାଇଥିଲେ। ଏଥିସହ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ନିର୍ବାଚନ ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା।

ଶପଥ ଗ୍ରହଣ ଅବସରରେ ନବନିର୍ବାଚିତ ପ୍ରତିନିଧିମାନେ ମହାବିଦ୍ୟାଳୟର ଗରିମା, ମର୍ଯ୍ୟାଦା ଓ ପରମ୍ପରା ବଜାୟ ରଖିବା ସହ ଛାତ୍ରୀଛାତ୍ରଙ୍କ ସ୍ୱାର୍ଥ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ। ଅନୁଷ୍ଠାନର ନିୟମ ଓ ଶୃଙ୍ଖଳା ପ୍ରତି ସମ୍ମାନ ଜଣାଇବା ସହ ଛାତ୍ରୀଛାତ୍ରଙ୍କ ବିଭିନ୍ନ ସମସ୍ୟା ଓ ଦାବିକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରି ସମାଧାନ ପାଇଁ ଉଦ୍ୟମ କରିବା ଉପରେ ସେମାନେ ଗୁରୁତ୍ୱ ଦେଇଥିଲେ।

ଦୀର୍ଘ ଦିନ ପରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବାରୁ ନବନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅନେକ ଆଶା ଓ ଆକାଂକ୍ଷା ରହିଛି। ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଅଧିକ ସୁଦୃଢ଼ କରିବା, ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଏବଂ କ୍ୟାମ୍ପସରେ ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟ ବଜାୟ ରଖିବା ନବନିର୍ବାଚିତ ପ୍ରତିନିଧିଙ୍କ ପାଇଁ ପ୍ରମୁଖ ଦାୟିତ୍ୱ ହେବ।
ନିର୍ବାଚନରେ ବିଜୟୀ ହେବା ପରେ ଶପଥ ଗ୍ରହଣ ମାଧ୍ୟମରେ ଛାତ୍ର ପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସ୍ୱରକୁ ମହାବିଦ୍ୟାଳୟ ପ୍ରଶାସନ ନିକଟରେ ପହଞ୍ଚାଇବା ସହ କଲେଜର ସାମଗ୍ରିକ ବିକାଶରେ ସେମାନେ କେତେଦୂର ସହଯୋଗ କରିପାରୁଛନ୍ତି, ତାହା ଆଗାମୀ ଦିନରେ ଗୁରୁତ୍ୱ ବହନ କରିବ।

Share

Leave a Reply