ଅନୁଗୋଳ ମେଡିକାଲ ୱାର୍ଡରୁ ରୋଗୀ ନିଖୋଜ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

You are currently viewing ଅନୁଗୋଳ ମେଡିକାଲ ୱାର୍ଡରୁ ରୋଗୀ ନିଖୋଜ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ୱାର୍ଡରୁ ଜଣେ ରୋଗୀ ନିଖୋଜ ହୋଇଯିବା ଘଟଣାକୁ ନେଇ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ୱାର୍ଡରେ ଏତେ ସଂଖ୍ୟକ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ତ୍ୱେ ଜଣେ ରୋଗୀ କିପରି ବାହାରକୁ ଚାଲିଗଲେ, ତାହାକୁ ନେଇ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ହାଣ୍ଡିଧୁଆ ଅଞ୍ଚଳର ଲକ୍ଷ୍ମୀଧର ସାହୁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ହୋଇ ଗତ ବୁଧବାର ଅନୁଗୋଳ ମେଡିକାଲର ମେଡିସିନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତେବେ ଶୁକ୍ରବାର ମଧ୍ୟାହ୍ନରେ ସେ ନିଜ ବିଛଣାରୁ ଉଠି କେଉଁଆଡ଼େ ଚାଲିଯାଇଥିଲେ। ସେହି ସମୟରେ ପରିବାର ଲୋକେ ଅନ୍ୟ କାମରେ ବ୍ୟସ୍ତ ଥିବାରୁ ତାଙ୍କ ନିଖୋଜ ସମ୍ପର୍କରେ ତୁରନ୍ତ ଜାଣିପାରି ନଥିଲେ। ପରେ ପରିବାର ଲୋକେ ହସ୍ପିଟାଲ ପରିସର ସମେତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଲକ୍ଷ୍ମୀଧରଙ୍କ କୌଣସି ପତ୍ତା ମିଳିନାହିଁ। ହସ୍ପିଟାଲରେ ମାଳ ମାଳ ସୁରକ୍ଷାକର୍ମୀ ନିୟୋଜିତ ଥିବା ସତ୍ତ୍ୱେ ଜଣେ ରୋଗୀ କିପରି ନିଖୋଜ ହେଲେ, ତାହା ବଡ଼ ପ୍ରଶ୍ନ ସୃଷ୍ଟି କରିଛି। ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ଅବହେଳା ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏପର୍ଯ୍ୟନ୍ତ ଲକ୍ଷ୍ମୀଧରଙ୍କ ସନ୍ଧାନ ମିଳିନଥିବାରୁ ପରିବାର ଲୋକେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Share

Leave a Reply