ଛେଣ୍ଡିପଦାରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷାଦାନ ଆରମ୍ଭ, ପ୍ରଥମରୁ ନବମ ଯାଏଁ ପଢ଼ିବେ ୩୬୦ ଛାତ୍ରଛାତ୍ରୀ

You are currently viewing ଛେଣ୍ଡିପଦାରେ କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷାଦାନ ଆରମ୍ଭ, ପ୍ରଥମରୁ ନବମ ଯାଏଁ ପଢ଼ିବେ ୩୬୦ ଛାତ୍ରଛାତ୍ରୀ

ଅନୁଗୋଳ: ସ୍ଥାନୀୟ ଛେଣ୍ଡିପଦା ଅଞ୍ଚଳରେ ଉଚ୍ଚମାନର ଶିକ୍ଷା ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ବାପୁଜୀ ମହାବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ ଭବନ ଉଦ୍‌ଘାଟିତ ହୋଇଛି।
ସାରସ୍ୱତ ନଗରସ୍ଥିତ ବାପୁଜୀ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଦ୍ୱାରା ସ୍ଥାନୀୟ ଛାତ୍ରଛାତ୍ରୀ ନିଜ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପାଇବାର ସୁଯୋଗ ପାଇବେ। ଏହା ଅନେକ ଅଭିଭାବକଙ୍କ ଦୀର୍ଘଦିନର ଆଶା ପୂରଣ କରିଛି ବୋଲି ସେ ମତ ଦେଇଥିଲେ।

ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଓ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ମିଳିତ ପଦକ୍ଷେପରେ ଏହି ବିଦ୍ୟାଳୟ ସ୍ଥାପନ ସମ୍ଭବ ହୋଇଥିବା ବିଧାୟକ କହିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଓ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗକୁ ସେ ଧନ୍ୟବାଦ ଜଣାଇଥିଲେ।

ଏମ୍‌ସିଏଲ୍‌ ସୁଭଦ୍ରା ଏରିଆର ଭାରପ୍ରାପ୍ତ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ବ୍ରଜେଶ କୁମାର ମୀନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଛେଣ୍ଡିପଦା ତହସିଲଦାର ମାନସ ରାୟ, ଏମ୍‌ସିଏଲ୍‌ର ଜିଏମ୍‌ (ଏଚ୍‌ଆର୍‌-ୱେଲଫେୟାର) ଜଗବନ୍ଧୁ ବେହେରା, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ଡେପୁଟି କମିଶନର ସର୍ଦ୍ଦାର ସିଂ ଚୌହାନ, ବାପୁଜୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଧର୍ମରାଜ ତ୍ରିପାଠୀ, ଏମ୍‌ସିଏଲ୍‌ ସୁଭଦ୍ରା ଏରିଆ ଜିଏମ୍‌ ପ୍ରଦୀପ କୁମାର ମିଶ୍ର, ବ୍ଲକ୍‌ ଅଧ୍ୟକ୍ଷା ସୁମିତ୍ରା ସାହୁଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ।

ସୂଚନାନୁସାରେ, ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୬୦ ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ିବେ। ଆଗାମୀ ଶିକ୍ଷାବର୍ଷରେ ଆଉ ୪୦ରୁ ୮୦ଟି ସିଟ୍‌ ବୃଦ୍ଧି ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିକଟରେ ପ୍ରସ୍ତାବ ରଖାଯାଇଛି। ଏହା ମଞ୍ଜୁର ହେଲେ ଅଞ୍ଚଳର ଅଧିକ ପିଲା ଶିକ୍ଷାଦାନର ସୁଯୋଗ ପାଇପାରିବେ।

Share

Leave a Reply