ଅନୁଗୋଳ : ଏମ୍ଏସ୍ପିକୁ ଆଇନଗତ ଗ୍ୟାରେଣ୍ଟି ପ୍ରଦାନ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ବାତିଲ୍ ଏବଂ ବିଦ୍ୟୁତ୍ ବିଲ୍-୨୦୨୬ ପ୍ରତ୍ୟାହାର ଦାବିରେ ଅଖିଳ ଭାରତ କୃଷକ କ୍ଷେତ ମଜଦୁର ସଂଗଠନ (ଏଆଇକେକେଏମ୍ଏସ୍) ପକ୍ଷରୁ ସର୍ବଭାରତୀୟ ପ୍ରତିବାଦ ଦିବସ ପାଳନ କରାଯାଇଛି।
ଏସ୍କେଏମ୍ ଓ ଏଆଇକେକେଏମ୍ଏସ୍ର ସର୍ବଭାରତୀୟ କମିଟିର ମିଳିତ ଆହ୍ୱାନରେ ବଅଁରପାଳ ବ୍ଲକ୍ ଅନ୍ତର୍ଗତ ବେଣାଗାଡ଼ିଆ ଗ୍ରାମରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ସଂଗଠନର ଜିଲ୍ଲା ସଭାପତି ସୁବାସ ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ।ସଭାରେ ବକ୍ତାମାନେ କୃଷକଙ୍କ ଉତ୍ପାଦିତ ଫସଲର ଉଚିତ୍ ମୂଲ୍ୟ ସୁନିଶ୍ଚିତ କରିବାକୁ ଏମ୍ଏସ୍ପିକୁ ଆଇନର ପରିସରଭୁକ୍ତ କରିବା ଉପରେ ଜୋର୍ ଦେଇଥିଲେ। ଏଥିସହ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ଜନବିରୋଧୀ ଦର୍ଶାଇ ଏହାର ବାତିଲ୍ ଏବଂ ବିଦ୍ୟୁତ୍ ବିଲ୍-୨୦୨୬ ପ୍ରତ୍ୟାହାର ପାଇଁ ଦାବି ଉଠାଇଥିଲେ।
ଏହି ଦାବିଗୁଡ଼ିକ ପୂରଣ ନହେବା ପର୍ଯ୍ୟନ୍ତ ଚାଷୀ ଓ ଶ୍ରମିକଙ୍କୁ ନେଇ ଦୀର୍ଘସ୍ଥାୟୀ ଗଣଆନ୍ଦୋଳନ ଗଢ଼ିତୋଳିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ। ପ୍ରତିବାଦ ସଭାରେ ସଂଗଠକ ସଞ୍ଜୟ ସାହୁ, ଟୁନା ବେହେରା, ବିଚିତ୍ରାନନ୍ଦ ବେହେରା ଓ ମାନସ ବେହେରାଙ୍କ ସମେତ ସଂଗଠନର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।
















