ଲୋକକଳାର ମହାମିଳନରେ ଝୁମିଲା କୁଲେଇ: ୩୨ଟି କଳାଦଳର ନୃତ୍ୟ, ସଙ୍ଗୀତରେ ଜମିଲା ସାଂସ୍କୃତିକ ଆସର

You are currently viewing ଲୋକକଳାର ମହାମିଳନରେ ଝୁମିଲା କୁଲେଇ: ୩୨ଟି କଳାଦଳର ନୃତ୍ୟ, ସଙ୍ଗୀତରେ ଜମିଲା ସାଂସ୍କୃତିକ ଆସର

ଅନୁଗୋଳ: ଓଡ଼ିଆ ସଂସ୍କୃତି ଓ ପାରମ୍ପରିକ ଲୋକକଳାର ମହକରେ ମହକି ଉଠିଲା ଅନୁଗୋଳ ଜିଲ୍ଲାର ଲୋକକଳା ଗ୍ରାମ କୁଲେଇ। କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଅବସରରେ ଏଠାରେ ଦୁଇଦିନ ଧରି ଆୟୋଜିତ ସାଂସ୍କୃତିକ ମହୋତ୍ସବରେ ଲୋକକଳାର ଅପୂର୍ବ ଝଲକ ଦେଖିବାକୁ ମିଳିଥିଲା।

ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ କୁଲେଇ ମହିଳା ସମିତିର ମିଳିତ ଆନୁକୂଲ୍ୟରେ ନଭେମ୍ବର ୨୪ ଓ ୨୫ ତାରିଖରେ ଏହି ଉତ୍ସବ ଆୟୋଜିତ ହୋଇଥିଲା।
ପ୍ରଥମ ଦିନରେ ଗ୍ରାମର ଶତାଧିକ ମହିଳା ସାମୂହିକ ବୋଇତ ବନ୍ଦାଣ କରିବା ସହ ଝୋଟି, ହୁଳହୁଳି, ଶଙ୍ଖ ଫୁଙ୍କା, ଭାଗବତ ଓ ଲକ୍ଷ୍ମୀ ପୁରାଣ ପାଠ ପ୍ରତିଯୋଗିତାରେ ଭାଗ ନେଇଥିଲେ। କୁଇଜ୍‌ କାର୍ଯ୍ୟକ୍ରମ ସହ ସନ୍ଧ୍ୟାରେ ସ୍ଥାନୀୟ କଳାକାରଙ୍କୁ ନେଇ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇଥିଲା।

ଦ୍ୱିତୀୟ ଦିନରେ ଉତ୍ସବ ଅଧିକ ଆକର୍ଷଣୀୟ ହୋଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୩୨ଟି ଲୋକକଳା ଦଳ ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ କଳା ପରିବେଷଣ କରିଥିଲେ। ବରଗଡ଼ର ସରଗମ ମଲ୍ଲିଫକ୍‌ ଏକାଡେମୀ, ଅନୁଗୋଳର ନ୍ୟୁକ୍ରିଏସନ୍‌ ଏକାଡେମୀ, ଆଦୃତ ଅନୁଷ୍ଠାନ, ନୃତ୍ୟ ନିଳୟ, ଧବଳେଶ୍ୱର ଦଣ୍ଡନୃତ୍ୟ ଓ ଆଠମଲ୍ଲିକର ମହାପାଟ ପାଇକ ଆଖଡ଼ା ସମେତ ବିଭିନ୍ନ ଦଳ ନିଜ କଳାନୈପୁଣ୍ୟ ପ୍ରଦର୍ଶନ କରିଥିଲେ। ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ପରିବେଷଣ ମଧ୍ୟ ଦର୍ଶକଙ୍କୁ ବିଶେଷ ଆକର୍ଷିତ କରିଥିଲା।

Share

Leave a Reply