ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରାରେ ଗଲେ ଅନୁଗୋଳର ୧୦୯ ବରିଷ୍ଠ ନାଗରିକ

You are currently viewing ହରିଦ୍ୱାର-ଋଷିକେଶ ତୀର୍ଥଯାତ୍ରାରେ ଗଲେ ଅନୁଗୋଳର ୧୦୯ ବରିଷ୍ଠ ନାଗରିକ

ଅନୁଗୋଳ: ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୨୬-୨୭ ଅଧୀନରେ ଅନୁଗୋଳ ଜିଲ୍ଲାର ୧୦୯ ଜଣ ବରିଷ୍ଠ ନାଗରିକ ହରିଦ୍ୱାର ଓ ଋଷିକେଶ ତୀର୍ଥଯାତ୍ରାରେ ବାହାରିଛନ୍ତି।

ଏହି ଅବସରରେ ଗୁରୁବାର ଅପରାହ୍ନରେ ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ମାୟାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ତୀର୍ଥଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାପରେ ୩ଟି ବସ୍‌ରେ ୧୦୯ ଜଣ ତୀର୍ଥଯାତ୍ରୀ ସମ୍ବଲପୁର ଅଭିମୁଖେ ଯାତ୍ରା କରିଥିଲେ। ଯୋଜନା ଅନୁଯାୟୀ, ଶୁକ୍ରବାର ସମ୍ବଲପୁର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନ୍‌ ଯୋଗେ ସେମାନେ ହରିଦ୍ୱାର ଓ ଋଷିକେଶ ଯାତ୍ରା କରିବେ। ତୀର୍ଥସ୍ଥାନ ପରିଭ୍ରମଣ ଶେଷ କରି ଆସନ୍ତା ଡିସେମ୍ବର ୨ ତାରିଖରେ ଅନୁଗୋଳ ଫେରିବାର କାର୍ଯ୍ୟକ୍ରମ ରହିଛି।

ତୀର୍ଥଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ ଓ ସୁବିଧାଜନକ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୩ ଜଣ ଏସ୍‌କର୍ଟ ଅଫିସରଙ୍କୁ ସେମାନଙ୍କ ସହ ପଠାଯାଇଛି। କାର୍ଯ୍ୟକ୍ରମକୁ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସୁଭେନ୍ଦୁ କୁମାର ପରିଚାଳନା କରିଥିଲେ।

Share

Leave a Reply