ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା, କୋଚିଂ ସେଣ୍ଟର ମାଲିକଙ୍କୁ ୨୦ ବର୍ଷ ଜେଲ୍

You are currently viewing ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା, କୋଚିଂ ସେଣ୍ଟର ମାଲିକଙ୍କୁ ୨୦ ବର୍ଷ ଜେଲ୍

ଅନୁଗୋଳ: ନାବାଳିକା ଛାତ୍ରୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଯୌନ ନିର୍ଯାତନା ଦେବା ମାମଲାରେ ଅନୁଗୋଳ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ଜଣେ କୋଚିଂ ସେଣ୍ଟର ମାଲିକଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଏଥିସହ ୫୦ ହଜାର ଟଙ୍କା ଜରିମାନା ଏବଂ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।
ଦୋଷୀ ସାବ୍ୟସ୍ତ ଅଭିଯୁକ୍ତ ହେଲେ ଠାକୁରଗଡ଼ ଥାନା ବନ୍ଧଗାଁର ଡମ୍ବରୁଧର ବେହେରା ଓରଫ ସାନୁ (୨୭)। ସେ ଅନୁଗୋଳ ମଦନମୋହନ ପଡ଼ାରେ ଶ୍ରୀ ଆଲଫା କୋଚିଂ ସେଣ୍ଟର ଚଳାଉଥିଲେ। ଏହି ମାମଲାରେ ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ରାୟ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ସୂଚନା ମୁତାବକ, ପୀଡ଼ିତା ଛାତ୍ରୀ ଉକ୍ତ କୋଚିଂ ସେଣ୍ଟରରେ ଯୁକ୍ତଦୁଇ ବିଜ୍ଞାନ ପଢ଼ୁଥିଲେ। ପରୀକ୍ଷା ପରେ ଅଭିଯୁକ୍ତ ତାଙ୍କୁ କୋଚିଂ ସେଣ୍ଟରରେ କାମ ଶିଖିବାକୁ ଡାକିଥିଲେ। ୨୦୨୫ ମାର୍ଚ୍ଚ ୧୯ରେ ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମ ଥର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ପରେ ମାର୍ଚ୍ଚ ୨୮ରେ ଛାତ୍ରୀ ଜଣକ କୋଚିଂ ସେଣ୍ଟରରେ କର୍ମଚାରୀ ଭାବେ ଯୋଗଦେବା ପରେ ମଧ୍ୟ ଅଭିଯୁକ୍ତ ତାଙ୍କୁ ନିର୍ଯାତନା ଦେଇଥିଲେ। ପରବର୍ତ୍ତୀ ସମୟରେ ପୀଡ଼ିତା ବି.ଏସ୍‌ସି ନର୍ସିଂ ପଢ଼ିବାକୁ ହଷ୍ଟେଲ ଯିବା ପରେ ଅଭିଯୁକ୍ତ ବିବାହ କରିବାକୁ ମନା କରିଦେଇଥିଲେ।

ଏହାପରେ ୨୦୨୫ ଅକ୍ଟୋବର ୨୧ରେ ପୀଡ଼ିତା ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଏବଂ ଏଥିରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି। ଏନେଇ ପୀଡ଼ିତାଙ୍କ ମାଆ ଅଭିଯୁକ୍ତଙ୍କୁ ପଚାରିବାରୁ ସେ ହତ୍ୟା ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା।

ଘଟଣାକୁ ନେଇ ୨୦୨୫ ଅକ୍ଟୋବର ୨୫ରେ ଅନୁଗୁଳ ଥାନାରେ କେସ୍‌ ନଂ ୧୦୯୬/୨୦୨୫ରେ ମାମଲା ରୁଜୁ ହୋଇଥିଲା। ପୋଲିସ ବିଏନ୍‌ଏସ୍‌ର ଧାରା ୬୪(୨)(f), ୬୪(୨)(m), ୩୫୧(୨) ଏବଂ ପୋକ୍ସୋ ଆଇନର ଧାରା ୬ରେ ମାମଲା ରୁଜୁ କରି ଅକ୍ଟୋବର ୨୬ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ତତ୍କାଳୀନ ଅନୁଗୋଳ ଥାନା ସବ୍‌ଇନ୍ସପେକ୍ଟର ଦୀପ୍ତିମୟୀ ବିଶ୍ୱାଳ ମାମଲାର ତଦନ୍ତ କରି ଚାର୍ଜସିଟ୍‌ ଦାଖଲ କରିଥିଲେ।

ଅଦାଲତରେ ୮ ଜଣ ସାକ୍ଷୀଙ୍କ ବୟାନ, ୧୮ଟି ଦସ୍ତାବିଜ୍‌ ଏବଂ ଡାକ୍ତରୀ ରିପୋର୍ଟକୁ ଆଧାର କରି ବିଚାରପତି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରକାରୀ ଓକିଲ ରଞ୍ଜନ ପାତ୍ର ମାମଲା ପରିଚାଳନା କରିଥିଲେ।

Share

Leave a Reply