ଅନୁଗୋଳ: ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଜାଲ ପ୍ରମାଣପତ୍ର ଆଧାରରେ ୬୦ରୁ ଅଧିକ ନର୍ସଙ୍କ ନିଯୁକ୍ତିକୁ ନେଇ ଅନୁଗୋଳ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଗଭୀର ଉଦବେଗ ପ୍ରକାଶ ପାଇଛି। ଏହି ଘଟଣାରେ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇ ଯୁବ କଂଗ୍ରେସ ଆଜି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା ସହ ଅନୁଗୋଳ ଟାଉନ ଥାନାରେ ଏତଲା ଦାଖଲ କରିଛି।
ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ କଂଗ୍ରେସ ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ଯେ, କମାଣ୍ଡୋ ଏଜେନ୍ସି, ସେବା ନର୍ସିଂ ସ୍କୁଲ ଓ ସ୍ୱାସ୍ଥ୍ୟ ବିଭାଗର କିଛି ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏହି ବ୍ୟାପକ ଦୁର୍ନୀତି ହୋଇଛି। ଏଥିଯୋଗୁଁ ଯୋଗ୍ୟ ପ୍ରାର୍ଥୀମାନେ ନିଯୁକ୍ତିରୁ ବଞ୍ଚିତ ହୋଇଛନ୍ତି। ତେଣୁ ସମ୍ପୃକ୍ତ ସମସ୍ତ ବ୍ୟକ୍ତି ଓ ସଂସ୍ଥା ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଏବଂ ଗତ ଦୁଇ ବର୍ଷର ନିଯୁକ୍ତିର ପୁନଃ ଯାଞ୍ଚ କରିବାକୁ ଦାବି କରାଯାଇଛି। ପ୍ରଶାସନ ତୁରନ୍ତ ତଦନ୍ତ ନ କଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ଯୁବ କଂଗ୍ରେସ ଚେତାବନୀ ଦେଇଛି।











