ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ: ସାପ କାମୁଡ଼ାରେ ମୃତ୍ୟୁ ପରେ ଚକ୍ଷୁଦାନ

You are currently viewing ସ୍ତ୍ରୀଙ୍କ ଶେଷ ଇଚ୍ଛା ପୂରଣ କଲେ ସ୍ୱାମୀ: ସାପ କାମୁଡ଼ାରେ ମୃତ୍ୟୁ ପରେ ଚକ୍ଷୁଦାନ

ଅନୁଗୋଳ: ଜୀବନ ଚାଲିଗଲା ସତ, ହେଲେ ଅନ୍ୟ ଆଖିରେ ଦୁନିଆ ଦେଖିବେ ସୁମିତ୍ରା। ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ଶଣ୍ଢଛକ ସାହିରେ ଘଟିଛି ଏକ ସ୍ପର୍ଶକାତର ଘଟଣା, ଯାହା ସମାଜ ପାଇଁ ଉଦାହରଣ ସାଜିଛି। ସାପ କାମୁଡ଼ାରେ ପ୍ରାଣ ହରାଇଥିବା ସ୍ତ୍ରୀଙ୍କ ଶେଷ ଇଚ୍ଛାକୁ ସମ୍ମାନ ଜଣାଇ ଚକ୍ଷୁଦାନ କରିଛନ୍ତି ସ୍ୱାମୀ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ସୁମିତ୍ରା ବେହେରା (୩୩) ନିଜର ଦୁଇ ଝିଅଙ୍କ ସହ ଘର ଦୁଆରେ ଶୋଇଥିବା ବେଳେ ଏକ ବିଷଧର ଚିତି ସାପ ତାଙ୍କ ପୋଷାକ ଭିତରକୁ ପଶିଯାଇଥିଲା। ସ୍ୱାମୀ ଅମୀୟ ବେହେରା ଘରକୁ ଫେରିବା ପରେ ସୁମିତ୍ରା ଉଠିବା ସମୟରେ ଜଙ୍ଘରେ କିଛି ବାଜିଥିବା ଅନୁଭବ କରି ହାତ ମାରିଥିଲେ।

ଏହି ସମୟରେ ସାପଟି ତାଙ୍କୁ ଦୁଇଥର କାମୁଡ଼ି ଦେଇଥିଲା। ଅମୀୟ ତାଙ୍କୁ ତୁରନ୍ତ ପ୍ରଥମେ ଅନୁଗୁଳ ପବିତ୍ର ମୋହନ ମେଡିକାଲ କଲେଜ ଓ ପରେ କଟକ ବଡ଼ ଡାକ୍ତରଖାନା ନେଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସୁମିତ୍ରାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ଆଖି ଦାନ କରିବାକୁ ସ୍ୱାମୀଙ୍କୁ କହିଥିଲେ ସୁମିତ୍ରା। ଶୋକାକୁଳ ପରିବେଶରେ ବି ସ୍ୱାମୀ ଏହି ଶେଷ ଇଚ୍ଛାକୁ ପୂରଣ କରିଛନ୍ତି। କଟକ ବଡ଼ ଡାକ୍ତରଖାନାରେ ସୁରକ୍ଷିତ ଭାବେ ଆଖି ବାହାର କରାଯାଇ ଭୁବନେଶ୍ୱରର ଏଲ୍‌.ଭି. ପ୍ରସାଦ ଚକ୍ଷୁ ଚିକିତ୍ସାଳୟକୁ ପଠାଯାଇଛି। ସୁମିତ୍ରାଙ୍କ ଏହି ମହତ ଦାନ ଏବେ ସମଗ୍ର ଅନୁଗୋଳ ଜିଲ୍ଲା ଓ ରାଜ୍ୟ ପାଇଁ ଗର୍ବ ଓ ପ୍ରେରଣା ପାଲଟିଛି।

Share

Leave a Reply