ଅନୁଗୁଳ : ସନ୍ତୋଷ ପ୍ରଧାନ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ(ଏୟୁସିସି) ବ୍ୟାଙ୍କର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏହି ବିଜେଡି ନେତା ତାଙ୍କ ଦଳର ପ୍ରତାପ ଚନ୍ଦ୍ର ମଲ୍ଲିକଙ୍କୁ ପରାସ୍ତ କରିଛନ୍ତି। ଦୁଇ ନେତାଙ୍କ ଭିତରେ ଲଢେଇକୁ ଶେଷ ସମୟରେ ଦଳ ରୋକି ପାରିଥିଲାବେଳେ ଏହା ଦଳର ଇଜ୍ଜତକୁ ବଞ୍ଚାଇଦେଇଛି। ହେଲେ ଦଳରେ ସୃଷ୍ଟି ହୋଇଥିବା ଫାଟ ମରାମତି ହୋଇଛି ନା’ ଆଗକୁ ଏହା ବିସ୍ଫୋରକ ରୂପ ନେବ ତାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି। ଦଳର ଦୁଇ ହେଭିୱେଟ୍ ନେତା ବ୍ରଜକିଶୋର ପ୍ରଧାନ ଓ ସୁଧୀର ସାମଲଙ୍କ ଭିତରେ ଆରମ୍ଭ ହୋଇଥିବା ଆଭ୍ୟନ୍ତରୀଣ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତା’ ଉପରେ ଏବେ ସମସ୍ତଙ୍କ ନଜର।
ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ପାଇଁ ସନ୍ତୋଷ ପ୍ରଧାନ ଓ ପ୍ରତାପ ଚନ୍ଦ୍ର ମଲ୍ଲିକ ପ୍ରାର୍ଥୀ ହୋଇଥିଲେ। ଉଭୟ ନେତା ବିଜେଡି ସମର୍ଥିତ। ସନ୍ତୋଷଙ୍କୁ ଦଳ ପ୍ରାର୍ଥୀ କରିଥିଲାବେଳେ ବିଦ୍ରୋହୀ ପ୍ରାର୍ଥୀ ହୋଇଥିଲେ ପ୍ରତାପ ଚନ୍ଦ୍ର ମଲ୍ଲିକ। ସନ୍ତୋଷଙ୍କ ପଛରେ ବ୍ରଜକିଶୋର ପ୍ରଧାନଙ୍କ ସମର୍ଥନ ରହିଥିଲା। ଏପଟେ ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କ ଭିଣୋଇ ହେଉଛନ୍ତି ପ୍ରତାପ ଚନ୍ଦ୍ର ମଲ୍ଲିକ। ତେଣୁ ସଭାପତି ନିର୍ବାଚନ ନେଇ ବିଜେଡି ଭିତରେ ଆରମ୍ଭ ହୋଇଥିଲା ବିବାଦ। ପରେ ଦଳର ବରିଷ୍ଠ ନେତାମାନେ ବୁଝାସୁଝା କରିବା ପରେ ଏହା ଥମି ଯାଇଥିଲା। ଚାପ ଆଗରେ ପ୍ରତାପ ମୁଣ୍ଡ ନୂଆଇଁବା ସହ ଦଳର ନିଷ୍ପତ୍ତି ମାନିବାକୁ ରାଜି ହୋଇଥିଲେ। ଫଳରେ ବିଜେଡି ଏକ ବଡ଼ ବିବାଦରୁ ବର୍ତ୍ତି ଯାଇଥିଲା।
ଦଳରେ ସୃଷ୍ଟି ହୋଇଥିବା ବିବାଦର ତାଳିପକା ସମାଧାନକ ରାଯାଇଥିଲାବେଳେ ଏହା ଏଇଠି ଶେଷ ହେଉଛି ନା’ ଭିତରେ ଭିତରେ କୁହୁଳୁଛି ତା’କୁ ନେଇ ସନ୍ଦେହ ରହିଛି। କାରଣ ବ୍ୟାଙ୍କ ସଭାପତି ହେବା ପାଇଁ ପ୍ରତାପ ବହୁତ ଉଦ୍ୟମ କରିଥିଲେ। ସମବାୟ ବିଭାଗରେ ଦୀର୍ଘ ବର୍ଷ ହେଲା ସେ ଚାକିରି କରିଥିଲାବେଳେ ସଭାପତି ହେବା ଆଶାରେ ଏଥର ନିର୍ବାଚନକୁ ଓହ୍ଲାଇଥିଲେ। ଉପରୁ ମଧ୍ୟ ତାଙ୍କୁ ସବୁଜସଙ୍କେତ ମିଳିଥିଲା। ତେବେ ଅନୁଗୁଳର କିଛି ନେତାଙ୍କ ଜିଦ୍ ପାଇଁ ତାଙ୍କ ଆଶା ମଉଳିଗଲା।
ଏହା ତାଙ୍କୁ ଯେତିକି ବାଧିଥିବ, ଢେଙ୍କାନାଳ ବିଧାୟକ ସୁଧୀର ସାମଲଙ୍କୁ ସେତିକି ଅପମାନିତ କରିଥିବ। ତେଣୁ ଭିତରେ ଭିତରେ ସେ ବିରୋଧୀ ନେତାଙ୍କ ଗୋଛି କାଟିବାକୁ ନିଶ୍ଚିତ ଚେଷ୍ଟା କରିବେ। ଏପଟେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ଏହି ନିର୍ବାଚନରେ କଡ଼ା କସରତ କରିବାକୁ ପଡ଼ିଥିବାରୁ ସେ ଏହାର ଜବାବ ଦେବାକୁ ବାଟ ଖୋଜୁଥିବେ। ଦଳ ଭିତରେ ଏମିତି ଛକାପଞ୍ଝା ରାଜନୀତି ଆଗକୁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଦେଖା ଦେଇଛି।