ଅନୁଗୁଳ: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଅନ୍ୟାୟଚିତ୍ତ ଭାବେ ଗିରଫ କରିବା ପ୍ରତିବାଦରେ ଶୁକ୍ରବାର ଅନୁଗୁଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ବିଧାୟକ ଶ୍ରୀ ପାଣିଗ୍ରାହୀ ବିଡିଓଙ୍କ ବିରୁଦ୍ଧରେ ଦେଇଥିବା ଏତେଲାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା, ବ୍ଲକ ସାରକୁଲାର ୪୭ର ଅବମାନନା କରିଥିବା ସରକାରୀ ଅଧିକାରୀ ବିଶୃଙ୍ଖଲିତ ଆଚରଣ କରି ବିଧାୟକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ବିଡ଼ିଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା କୁ ନେଇ ବିଜେପି ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇ ରାଜ୍ୟର ପୁଲିସ ପ୍ରତି ସାଧାରଣ ଲୋକଙ୍କ ଭରସା ତୁଟିବାକୁ ବସିଲାଣି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟରେ ବହୁ ଜଘନ୍ୟ ମାମଲା ଶାସକ ଦଳର ନେତା, ବିଧାୟକ ଓ ମନ୍ତ୍ରୀ ମାନେ ଜଡିତ ଥିବାବେଳେ ଏତେଲାରେ ତାଙ୍କର ନା ଥାଇ ସେମାନଙ୍କୁ ପୁଲିସ ଗିରଫ ନକରି ସୁରକ୍ଷା ଦେବା ଏବଂ କାହାଣୀ ତିଆରି କରି ଖସାଇ ଦେଉଛି ପୁଲିସ। କିନ୍ତୁ ବିଜେପି ବିଧାୟକଙ୍କ କ୍ଷେତ୍ରରେ ପୁଲିସ ସମ୍ପୂର୍ଣ ଅଣଦେଖା କରି ମିଥ୍ୟା ମାମଲା କରି ବିଧାୟକଙ୍କୁ ଫସାଇବା ଏବଂ ବିନା ତଦନ୍ତରେ ଗିରଫ କରିବା ରାଜ୍ୟରେ ଆଇନର ଗତି କୁଆଡେ ବୋଲି ନେତାମାନେ ପ୍ରଶ୍ନ କରିଥିଲେ। ବିଧାୟକଙ୍କୁ ତୁରନ୍ତ ନିସର୍ତ ଖଲାସ କରିବା ସହ ଦୋଷୀ ବିଡ଼ିଓଙ୍କୁ ତୁରନ୍ତ ଗିରଫ କରାନଗଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ। ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅନୁଗୁଳ ଏସ୍ପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭରେ ବିଜେପି ନେତା ଅମୀୟ ତ୍ରିପାଠୀ, ସୁଦିପ ଗଡ଼ନାୟକ, ଦିଲ୍ଲୀପ ପ୍ରଧାନ, ବସନ୍ତ ମଞ୍ଜରୀ ପ୍ରଧାନ, ବିଶ୍ୱଜିତ ମିଶ୍ର, ସଂଘମିତ୍ରା ପ୍ରଧାନ, ସରିତା ମିଶ୍ର, ଚନ୍ଦ୍ରକାନ୍ତ ଧଳ, ସମୀର ପରିଡାଙ୍କ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।
ଦେବଗଡ଼ ବିଧାୟକଙ୍କୁ ଗିରଫ ପ୍ରତିବାଦରେ ବିଜେପିର ବିକ୍ଷୋଭ
- Post published:May 7, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
