ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପିର ଏକ ପ୍ରତିନିଧି ଦଳ ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କରିଛି । ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ବରେ ଏହି ଟିମ୍ ସିଡିଏମ୍ଓ ଡା. ଅଭୟ କୁମାର ଦାଶ ଓ ଏଡିଏମ୍ଓ (ମେଡ଼ିକାଲ) ଡା. ମାନସ ରଂଜନ ବିଶ୍ବାଳଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଥିଲେ। ଅକ୍ସିଜେନ୍ ଅଭାବରୁ ବଅଁରପାଳ ବ୍ଲକ୍ ତୁଳସୀପାଳ ଗ୍ରାମର ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ବିଜେପି ଦୁଃଖ ପ୍ରକାଶ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ୍ର ସ୍ଥିତି ପଚାରି ବୁଝିଥିଲେ। ଏଥିସହ ତାଳଚେର କୋଭିଡ୍ ହସ୍ପିଟାଲ୍ର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ ଟିକାକରଣ ଓ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା ସିଡିଏମ୍ଓ ଡାକ୍ତର ଅଭୟ କୁମାର ଦାଶ ପ୍ରକାଶ କରିଛନ୍ତି। ବିଜେପିର ଏହି ପ୍ରତିନିଧି ମଣ୍ଡଳରେ ଜିଲ୍ଲା ସମ୍ପାଦକ ତଥା ଅନୁଗୁଳ ବାର୍ ଆସୋସିଏସନ୍ର ସାଧାରଣ ସମ୍ପାଦକ ସୋମନାଥ ରାଉତ, ସମ୍ପାଦିକା ନମିତା ଦଳବେହେରା, ଜିଲ୍ଲା କୋଷାଧକ୍ଷ ବିଶ୍ବଜିତ୍ ମିଶ୍ର ଓ ଜିଲ୍ଲା କୃଷକ ମୋର୍ଚ୍ଚ ସଭାପତି ତଥା ସମ୍ବଲପୁର ସାଂସଦଙ୍କ ମେଡିକାଲ ପ୍ରତିନିଧି ବିଜୟ ମାଝି ଉପସ୍ଥିତ ଥିଲେ ।
କରୋନା ପରିଚାଳନାର ସ୍ଥିତି ଅନୁଧ୍ୟାନ କଲା ବିଜେପି
- Post published:April 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
