ଫାଇଭ ଟି ସଚିବଙ୍କ ଅନୁଗୁଳ ଗସ୍ତକୁ ବିଜେପିର ବିରୋଧ, ପାଞ୍ଚଟି ବିଧାନସଭା କ୍ଷେତ୍ରରେ ଦେବ ଶାନ୍ତିପୂର୍ଣ୍ଣ ଧାରଣା

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଜଣେ ଅଣ ଓଡ଼ିଆ ତାମିଲ ସଚିବଙ୍କର ଗସ୍ତ ପାଇଁ ବିଜେଡି ସାଂସଦ, ବିଧାୟକ, ନେତାମାନେ ଟେଣ୍ଟ ଭିଡି, ଲୋକ ଡାକି ଚୌକି ପକାଇବା କାର୍ଯ୍ୟରେ ବ୍ୟସ୍ତ, ସାଧାରଣ ଲୋକ ଭୋଟ ଦେଇଥିଲେ କଣ ଏଭଳି ବୁକୁଚା ବୁହା କାର୍ଯ୍ୟ କରିବା ପାଇଁ ବୋଲି ବିଜେପି ପ୍ରଶ୍ନ କରିଛି। ଜନ ପ୍ରତିନିଧି, ସାଂସଦ ବିଧାୟକ, ଜିଲ୍ଲାପାଳ ଜଣେ ତାମିଲ ସଚିବଙ୍କର ଗୁମାସ୍ତା ସାଜିବାକୁ ବିଜେପି ନିନ୍ଦା କରିଛି। ସଚିବଙ୍କ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ଦ୍ୱାରା ସମସ୍ତ କଲେଜର ଛାତ୍ର ଛାତ୍ରୀଙ୍କୁ ଡାକି ରାଜନୀତି କରଣ କରିବାକୁ ବିଜେପି ବିରୋଧ କରିଛି। ତାମିଲ ଗୁମାସ୍ତାଙ୍କ ଗସ୍ତକୁ ବିଜେପି ବିରୋଧ କରିବା ସହ ଅନୁଗୁଳ ଜିଲ୍ଲାର ପାଞ୍ଚୋଟି ସ୍ଥାନରେ ଅନୁଗୁଳ ଜିଲ୍ଲାପାଳ, ତାଳଚେର, ଆଠମଲ୍ଲିକ ଓ ପାଲଲହଡା ଉପ ଜିଲ୍ଲାପାଳ ଓ ଛେଣ୍ଡିପଦା ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଶାନ୍ତିପୂର୍ଣ୍ଣ ଧାରଣା ଦେବ ବୋଲି ଜିଲ୍ଲା ସଭାପତି ପ୍ରଧାନ କହିଛନ୍ତି। ଆଜିର କାର୍ଯ୍ୟକ୍ରମରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ପ୍ରାକ୍ତନ ମନ୍ତ୍ରୀ ସଂଜୀବ ସାହୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଜିଲ୍ଲା ମିଡିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!