ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଓଡ଼ିଶା ‘ପୂର୍ବୋଦୟ’ ମିଶନର ପ୍ରୟୋଗଶାଳା ହୋଇଛି। ବିଶ୍ୱର ଅଦ୍ୱିତୀୟ ଜନନେତାଙ୍କ ୯ ବର୍ଷ ଶାସନରେ ହୋଇଥିବା ସେବା ଓ ସମର୍ପଣର ବାର୍ତ୍ତାକୁ ଦଳୀୟ ସଂଗଠନର ମିଳିତ ଶକ୍ତି ମାଧ୍ୟମରେ ଓଡ଼ିଶାର ଘରେ ଘରେ ପହଞ୍ଚାଯାଉଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ମୋଦି ସରକାରଙ୍କ ସୁଶାସନର ୯ ବର୍ଷ ପୂରଣ ହେବା ଅବସରରେ ରାଷ୍ଟ୍ରୀୟ ମହାଜନସମ୍ପର୍କ ଅଭିଯାନ ଅନ୍ତର୍ଗତ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ‘ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀ’ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଭାରତ ବିଶ୍ୱର ନେତା ହେବା ପାଇଁ ଯାଉଛି। ଭାରତର ଶକ୍ତିଶାଳୀ ନେତୃତ୍ୱ ପାଇଁ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଆଦର ଓ ସମ୍ମାନ ଜଣାଯାଉଛି। ଏହି ସମ୍ମାନ, ପ୍ରତି ଭାରତୀୟଙ୍କ ପ୍ରତି ସମ୍ମାନ।
ମୋଦି ୯ ବର୍ଷରେ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା, ଉଜ୍ଜ୍ୱଳା ଗ୍ୟାସ, ମୁଦ୍ରା ଋଣ, ବାର୍ଦ୍ଧକ୍ୟ ଭତ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ଏବଂ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଅନୁଗୁଳ ଜିଲ୍ଲାର ୩ ଲକ୍ଷ ୯ ହଜାର ୩୭୮ ଟି ପରିବାରକୁ ସର୍ବମୋଟ ୮ ହଜାର ୭୨୦ କୋଟି ଟଙ୍କା ଦେଇଛନ୍ତି। ପରିବାର ପିଛା ପ୍ରାୟ ୨ ଲକ୍ଷ ୮୧ ହଜାର ୮୫୬ ଟଙ୍କା ମିଳିଛି। ସେହିଭଳି ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଜିଲ୍ଲାର ୯ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ଜଣଙ୍କ ପିଛା ମାସିକ ୫ କେଜି ଚାଉଳ ହିସାବରେ ୨୦୭୩.୬ କୋଟି ଟଙ୍କା ଦେଇଛନ୍ତି। ଆବାସ ଗ୍ରାମୀଣ ଯୋଜନାରେ ୭୨୯ କୋଟି ଟଙ୍କାର ୬୦ ହଜାର ୭୩୪ ଘର ଦିଆଯାଇଛି। ଆବାସ ସହର ଯୋଜନାରେ ୧୭୮ କୋଟି ଟଙ୍କାର ୫ ହଜାର ୬୭୦ ଘର ଦିଆଯାଇଛି। ୨୫.୮୨ କୋଟି ଟଙ୍କା ମୂଲ୍ୟର ୧ ଲକ୍ଷ ୬୧ ହଜାର ୪୩୬ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଗ୍ୟାସ ବିତରଣ କରାଯାଇଛି।
ମୋଦି ସରକାରରେ ଗଠିତ ଡିଏମଏଫ ପାଣ୍ଡିରେ ଅନୁଗୁଳରେ ବିଦ୍ୟାଳୟ ନିର୍ମାଣ କରାଯାଇଛି। ଘର ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ମୋଦି ଅର୍ଥ ଦେଇଛନ୍ତି। ୧୭,୦୦୦ କୋଟି ଟଙ୍କା ବିନିଯୋଗରେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାମ ହୋଇଛି। ଆଜି ତାଳଚେର-ଅନୁଗୁଳର ନୂଆ ଲୁପ୍ ଲାଇନ, ଅନୁଗୁଳ-ସୁକିନ୍ଦା ରେଳ ଲାଇନ, ତାଳଚେର-ନିର୍ଗୁଣ୍ଡିର ଇଲେକ୍ଟ୍ରିଫିକେସନ ସହ ରାସ୍ତା ଘାଟର ଉନ୍ନତି ଭଳି କାମ ଜିଲ୍ଲାରେ ହେଉଛି।
ମୋଦି ସରକାର କୋଟି କୋଟି ଟଙ୍କାର ଦାୟିତ୍ୱ ନେବା ପରେ ମଧ୍ୟ ଓଡ଼ିଶାରେ ଦୀର୍ଘ ୨୩ ବର୍ଷର ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ସରକାର ପାଇଁ ଗରିବ କଲ୍ୟାଣ ଯୋଜନା ଠିକ୍ ଭାବରେ କ୍ରିୟାନ୍ୱୟନ ହେଉନାହିଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ।