ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କାଣ୍ଡସର ସ୍କୁଲ ସାହିଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ମିଳିଥିବା ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କୁଲେଇ ଗାଁର ଅନ୍ତର ଭୁତିଆଙ୍କ ପୁଅ ଅନିଲ (୧୯) ଏବଂ ଝିଅ ଅର୍ଚ୍ଚିତା (୧୪) ବାଇକ୍ (ଓଆର ୧୯ ଜେ ୫୮୧୬)ରେ ସ୍ଥାନୀୟ ଚନ୍ଦ୍ର ବାହାଲସ୍ଥିତ ମାମୁ ଘରକୁ ଯାଉଥିଲେ। କାଣ୍ଡସର ସ୍କୁଲ ସାହି ଠାରେ ବାଇକ୍ ରାସ୍ତା ଉପରକୁ ଉଠିବା ବେଳେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲା। ଏହି ସମୟରେ ସାମ୍ନାରୁ ଆସୁଥିବା ଏକ ହାଇୱା ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଭାଇ ଅନୀଲର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅର୍ଚ୍ଚିତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି।
ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅନୀଲଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ବ୍ୟବଚ୍ଛେଦ ପରେ ମୃତ ଦେହ ପରିବାର ଲୋକଙ୍କୁ ଦିଆଯିବ ବୋଲି ପୁଲିସ ସୂଚନା ଦେଇଛି।