ବଅଁରପାଳ : ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ବୁଢ଼ାପଙ୍କ ଗ୍ରାମ ପଞ୍ଚାୟତ ନୂଆସାହିରେ ସର୍ଟସର୍କିଟରୁ ପାଞ୍ଚ ପରିବାରଙ୍କ ଘର ପୋଡ଼ି ପାଉଁଶ ହୋଇଯାଇଛି।ଗାଁର ସୁବାଷ୍ ଗୁରୁ, ଲକ୍ଷ୍ମଣ ଗୁରୁ, ଅଳକା ଗୁରୁ, କଟୁ ଗୁରୁ, ରାଜା ଗୁରୁଙ୍କ ପରିବାର ଅଗ୍ନିକାଣ୍ଡର ଶିକାର ହୋଇଛନ୍ତି।
ଗ୍ରାମବାସୀଙ୍କ ସୂଚନା ମୁତାବକ, ବୁଧବାର ମଧ୍ୟାହ୍ନରେ ପରିବାର ଲୋକେ ଶୋଇଥିବା ସମୟରେ ସୁବାଷ୍ ଗୁରୁଙ୍କ ଘରେ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଫଳରେ ଚତୁଃପାର୍ଶ୍ବରେ ଥିବା ୪-୫ ଜଣଙ୍କ ଚାଳ ଛପର ଘର ଜଳିଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ସେତେବେଳକୁ ପୂରା ଘର ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଜଣେ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ଘଟଣାସ୍ଥଳରେ ଗ୍ରାମ ସରପଞ୍ଚ ପ୍ରତିନିଧି, ସମିତିସଭ୍ଯ, ବିଜେପି କାର୍ଯ୍ୟକର୍ତ୍ତା ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସାନ୍ତ୍ଵନା ଦେବା ସହ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇବେ ବୋଲି କହିଛନ୍ତି। ଅପରାହ୍ନରେ ବଅଁରପାଳ ଆର ଆଇ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ପ୍ରଶାସନ ପକ୍ଷରୁ ପ୍ରାଥମିକ ସହାୟତା ପ୍ରଦାନ କରିଛନ୍ତି।











