ଅନୁଗୁଳ: ଜମି ବ୍ୟବସାୟୀ ହୁଲୁରିସିଂହାର ପ୍ରଭାତ କୁମାର ପ୍ରଧାନଙ୍କୁ ଆକ୍ରମଣ ଓ ଅପହରଣ ମାମଲାରେ ଟାଉନ ଥାନା ପୋଲିସ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ସୌଭାଗ୍ୟନଗରର ପ୍ରେମାନନ୍ଦ ଦାଶ ଓରଫ୍ କୁନା (୪୮)।
ପୋଲିସ ସୂଚନା ମୁତାବକ, ଗତ ୧୨ ତାରିଖ ମଧ୍ୟାହ୍ନରେ ଜମି ବ୍ୟବସାୟୀ ପ୍ରଭାତ ଜିଲ୍ଲା ସବରେଜିଷ୍ଟ୍ରାର୍ ଅଫିସକୁ ଆସିଥିଲେ। ସେଠାରେ ଆଉଜଣେ ଜମି ବ୍ୟବସାୟୀ ପ୍ରଦ୍ୟୁମ୍ନ ନନ୍ଦଙ୍କ ସହିତ ଟଙ୍କା ନେଣଦେଣକୁ ନେଇ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଅଭିଯୁକ୍ତ ପ୍ରଦ୍ୟୁମ୍ନ ଓ ତାଙ୍କର ୪ ରୁ ୫ ଜଣ ସହଯୋଗୀ ପ୍ରଭାତକୁ ଆକ୍ରମଣ କରିବା ସହ ଅପହରଣ କରିନେଇଥିଲେ।
ଏନେଇ ପ୍ରଭାତଙ୍କ ପତ୍ନୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ପୋଲିସ ଏକ ମାମଲା ରୁଜୁ କରିବା ସହ ସେହି ରାତିରେ ଅଭିଯୁକ୍ତ ପ୍ରଦ୍ୟୁମ୍ନଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଶନିବାର ଅନ୍ୟତମ ଅଭିଯୁକ୍ତ ପ୍ରେମାନନ୍ଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେପଟେ ଅଭିଯୁକ୍ତ ପ୍ରଦ୍ୟୁମ୍ନଙ୍କ ପାଲଟା ଅଭିଯୋଗରେ ଟାଉନ୍ ଥାନା ପୋଲିସ ଆଉ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ମିଳିଛି।


