ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପୁଲିସ ୩୪କେଜିରୁ ଅଧିକ ଚୋରା ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ବାଗଡ଼ିଆ ମାଉସୀ ମା’ ସାହିର ଜିତୁ ସାହୁ।
ସୂଚନା ମୁତାବକ, କଣଲୋଇ ଗ୍ରାମ ପଞ୍ଚାୟତର କର୍ଣ୍ଣପାଳ ଆଉଁଳି ଇରିଗେସନ ପ୍ରୋଜେକ୍ଟ ନିକଟରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇ ବାଗଡିଆ ଥାନା ପୁଲିସ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଜଣେ ବ୍ୟକ୍ତି ଏକ ବସ୍ତା ଉପରେ ବସିଥିବା ଦେଖିଥିଲେ। ପୁଲିସ ଛାନଭିନ କରିବାରୁ ବସ୍ତାରୁ ଗଞ୍ଜେଇ ବାହାରିଥିଲା। ପୁଲିସ ମାଜିଷ୍ଟ୍ରେଟ ଭାବେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର ପ୍ରକାଶ ନାୟକଙ୍କ ଉପସ୍ଥିତିରେ ଗଂଜେଇକୁ ଓଜନ କରାଯାଇଥିଲା। ବସ୍ତା ଭିତରେ ୩୪କିଗ୍ରା ୬୦୦ଗ୍ରାମ ଗଞ୍ଜେଇ ଥିବା ଜଣାପଡ଼ିଛି।
ପୁଲିସ ଗଞ୍ଜେଇ ଜବତ କରିବା ସହ ବାଗଡିଆ ଗ୍ରାମର ଜିତୁ ସାହୁକୁ ଗିରଫ କରିଛି। ଏନେଇ ପୁଲିସ ବାଗଡ଼ିଆ ଥାନା କେସ ନଂ ୧୦୮/୨୫ରେ ଏକ ମାମଲା ରୁଜୁ କରି ଜିତୁକୁ ବୁଧବାର ଅପରାହ୍ନରେ କୋର୍ଟ ଚାଲାଣ କରିଛି।











