ଅନୁଗୁଳ: ଗଣେଷ ପୂଜାରେ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦକୁ ନେଇ ଶୁକ୍ରବାର ରାତିରେ ପୋଲିସ ଓ ପୂଜା କମିଟି ମଧ୍ୟରେ ଗଣ୍ଡଗୋଳକୁ ନେଇ ଅନୁଗୁଳ ଥାନାରେ ଏକ ମାମଲା ରଜୁ ହେବା ପରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଶନିବାର ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ବିଭିନ୍ନ ମଣ୍ଡପ ବୁଲିବା ସହ ଆଇନ୍ଶୃଙ୍ଖଳା ନେଇ ତର୍ଜମା କରିଛନ୍ତି।
ଶୁକ୍ରବାର ସହରର ହୁଲୁରୀସିଂହା ଗାଁର ଆଲମ୍ କ୍ଲବ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲା। ରାତି ପ୍ରାୟ ୧୦ଟା ସମୟରେ ବନ୍ଦ କରିବା ପାଇଁ କାର୍ଯ୍ୟରତ ପୋଲିସ ଅଧିକରୀ କହିଥିଲେ। ପରେ ଆଉ ଅଧଘଣ୍ଟା ସମୟ ପୂଜା କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା । ସାଢେ ୧୦ଟା ବେଳେ ବନ୍ଦ ପାଇଁ କହିବାରୁ ପୁନର୍ବାର ଆଉ ଅଧଘଣ୍ଟା ସମୟ ମାଗିଥିଲେ। ରାତି ୧୧ଟା ପର୍ଯ୍ୟନ୍ତ ପୋଲିସ ଅପେକ୍ଷା କରିବା ପରେ ପୁଣି ବନ୍ଦ ପାଇଁ କହିବାରୁ ପୋଲିସ ଓ କ୍ଲବ କମିଟି ମାଧ୍ୟମରେ ଗଣ୍ଡଗୋଳ ହୋଇଥିଲା। ଘଟଣାକୁ ନେଇ ଶନିବାର ଅନୁଗୋଳ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏନେଇ କ୍ଲବ ସଭାପତି ସୂର୍ଯ୍ୟକାନ୍ତ ନନ୍ଦ ଓ ତାଙ୍କ ସଦସ୍ୟଙ୍କ ନାମରେ ମାମଲା ରଜୁ କରାଯାଇଛି।
ଏଥିରେ ୪ ଜଣଙ୍କୁ ଅଟକ ରଖିବା ପରେ ପୋଲିସ ଧାରା ୪୧ରେ ଥାନାରୁ ଜାମିନରେ ଛାଡିଛି। ତେବେ ଏହି ଘଟଣା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଜିଲା ଆରକ୍ଷୀ ଅଧିକ୍ଷକ ବିଭିନ୍ନ ମଣ୍ଡପ ବୁଲିବା ସହ କମିଟି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନହେବ ଏଥିପ୍ରତି ସଜାଗ ରହିବା ପାଇଁ ପାଲିସକୁ କୁହାଯାଇଛି। ଆରକ୍ଷୀ ଅଧିକ୍ଷକଙ୍କ ଏହି ପରିଦର୍ଶନ ସମୟରେ ଏସଡିପିଓ ରମାକାନ୍ତ ମହାଳିକ ଓ ଥାନା ଅଧିକାରୀ ଧୀରେସ ଦାସ ପ୍ରମୁଖ ସାଙ୍ଗରେ ଥିଲେ।