ଅନୁଗୁଳ: ବଳଦ ଚୋରି ଅଭିଯୋଗରେ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପାରିପରା ଗ୍ରାମର ଶରତ ନାଏକ। ତାଙ୍କୁ ରବିବାର କୋର୍ଟଚାଲାଣ କରାଯାଇଥିବା ବେଳେ ଜରପଡ଼ା ଥାନାରେ ମଧ୍ୟ ତାଙ୍କ ନାମରେ ଅନ୍ୟ ଏକ ଚୋରି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।ପୁଲିସ୍ ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ପାରିପରା ଗ୍ରାମର ନିରାକାର ବେହେରାଙ୍କ ଗୁହାଳରୁ ତାଙ୍କର ଦୁଇଟି ବଳଦ ଚୋରି ହୋଇଥିଲା। ପରଦିନ ଖୋଜାଖୋଜି କରୁଥିବା ବେଳେ ଗାଁ’ ପାଖ କୋରଡ଼ା ଗ୍ରାମରେ ତାଙ୍କ ବଳଦ ଠାବ ହୋଇଥିଲେ । ପାରିପରା ଗ୍ରାମର ଶରତ ନାଏକ ବଳଦ ଦୁଇଟିକୁ ବିକ୍ରି ପାଇଁ ନେଉଥିଲେ। ପଚରାଉଚୁରା ପରେ ଅଭିଯୁକ୍ତ ଶରତ ଦୋଷ ସ୍ୱୀକାର କରିଥିଲେ । ଏନେଇ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଥିଲା। ସେପଟେ ୨୧ ତାରିଖ ଦିନ ଜରପଡ଼ା ଥାନା ଇଲାକା ଓଗୀ ଗ୍ରାମର ପର୍ଶୁରାମ ନାଏକଙ୍କ ଘରୁ ଏକ ବାକ୍ସ ଚୋରି ହୋଇଥିଲା। ବାକ୍ସରେ ହଳେ ସୁନା ଝରା ସହ କଂସା ବାସନକୁସନ ଥିଲା । ଏହି ବାକ୍ସକୁ ପର୍ଶୁରାମଙ୍କ ମାମୁ ପୁଅ ଭାଇ ଶରତ ନାଏକ ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଖୋଜାଖୋଜି କରି ନିରାଶ ହେବା ପରେ ତାଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ୍ ବଳଦ ଚୋରି ଅଭିଯୋଗରେ ଗିରଫ କରିଥିବା ଜାଣିବାକୁ ପାଇଥିଲେ। ପରେ ପର୍ଶୁରାମ ଏନେଇ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ଏ ସମ୍ପର୍କରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ବଳଦ ଚୋରି ଅଭିଯୋଗ, ଜଣେ ଗିରଫ
- Post published:May 24, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
