ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାରମଞ୍ଚା ରାସ୍ତା ନିର୍ମାଣରେ ମହାଘୋଟାଲା ଘଟଣାରେ ପୋଲିସ ଛାନଭିନ ଚଳାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାରେ ସମ୍ପୃକ୍ତ ଜେଇ ଓ ଏଇଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ସୂଚନା ଅନୁଯାୟୀ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତ ବାରମଞ୍ଚା ଗାଁରେ ପଞ୍ଚମ ରାଜ୍ୟ ଅର୍ଥ କମିସନରେ ବିଜୁ ଘର ଠାରୁ ଆଉଁଳି ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ଦିଆଯାଇଥିବା ୧୦ ଲକ୍ଷ ଟଙ୍କାରେ କନିଷ୍ଠ ଯନ୍ତ୍ରୀ କ୍ଷମାସାଗର ସିଂହ ନିର୍ମାଣ ନ କରି ଚଳୁ କରିଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରିଥିଲେ। ତଦନ୍ତ ବେଳେ ଅଧିକାରୀ ମାନେ ୧୦ଲକ୍ଷ ଟଙ୍କା ବେନିୟମ ଭାବେ ବିଲ କରାଯାଇଥିବା ଦେଖିଥିଲେ। ପରେ ବିଡିଓ ତ୍ରିବିକ୍ରମ କୁମରା ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଡିଓଙ୍କ ଅଭିଯୋଗ ପରେ ଛେଣ୍ଡିପଦା ଥାନାରେ କେସ ନଂ ୪୧/୨୫ରେ ଧାରା ୩୧୬(୨), ୩୧୬(୫) ଓ ୩(୨) ଅନୁଯାୟୀ ମାମଲା ରୁଜୁ କରିଥିବା ବେଳେ ପୋଲିସ ବ୍ଲକରେ ଛେଣ୍ଡିପଦା ପହଞ୍ଚି ବିଡିଓ ଓ ବ୍ଲକ ହେଡ କ୍ଲର୍କ ବିରଞ୍ଚି ନାରାୟଣ ମହାପାତ୍ରଙ୍କୁ ଜେରା କରିବା ସହିତ ଆବଶ୍ୟକୀୟ କାଗଜ ପତ୍ରକୁ ଯାଞ୍ଚ କରିଛନ୍ତି।
ବାରମଞ୍ଚା ଗାଁର ରାସ୍ତା ନିର୍ମାଣ ଘଟଣାରେ ଥାନାରେ ଏତଲା ହେବା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସନ୍ତୋଷଜନକ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅନୁଗୁଳ ଜିଲ୍ଲାପାଳ କହିଛନ୍ତି।