ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ନୂଆଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ପ୍ରାଣହାନି ଘଟିଛି। ମୃତକ ଜଣକ ବାଗଡ଼ିଆ ଥାନା ଜରିପାଳ ଗାଁର ପ୍ରମିଳା ରାଉଳ। ସେ ନୂଆଗାଁ ସ୍ଥିତ ନିଜ ଝିଅ ଘରକୁ ବୁଲିବାକୁ ଆସିଥିଲେ।
ଆଜି ଭୋର ସମୟରେ ପ୍ରମିଳା ନୂଆଗାଁ ଖମଣ ନାଳ ନିକଟସ୍ଥ ରାଘି ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ଜଙ୍ଗଲରୁ ବାହାରି ଆସିଥିବା ଏକ ଗୋଠଛଡ଼ା ଦନ୍ତା ହାତୀ ସହ ତାଙ୍କର ସାମ୍ନାସାମ୍ନି ହୋଇଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ବନ ବିଭାଗ କର୍ମଚାରୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ବାଗଡ଼ିଆ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଆତଙ୍କ ପ୍ରକାଶ ପାଇଛି। ଆମ୍ବ ଋତୁ ଯୋଗୁଁ ହାତୀମାନେ ପ୍ରାୟତଃ ବଗିଚା ମୁହାଁ ହେଉଥିବାରୁ ସକାଳ ଓ ସନ୍ଧ୍ୟା ସମୟରେ ତୋଟାକୁ ନଯିବା ପାଇଁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।











