ଅନୁଗୁଳ: ସ୍ଥାନୀୟ ଫରେଷ୍ଟ ରେଞ୍ଜର୍ସ ତାଲିମ ମହାବିଦ୍ୟାଳୟରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଖୋ ଖୋ ୨୦୨୩-୨୪ ପ୍ରତିଯୋଗିତା ଉଦଯାପିତ ହୋଇଛି। ଏହି ପ୍ରତିଯୋଗିତା ଅକ୍ଟୋବର ୧୧ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ୧୭ ବର୍ଷରୁ କମ ଓ ୧୪ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆୟୋଜିତ ହୋଇଥିଲା। ଏଥିରେ ସମଗ୍ର ରାଜ୍ୟରୁ ବାଳକ ବିଭାଗରେ ୨୯ ଟି ଦଳ ଓ ବାଳିକା ବିଭାଗରେ ୨୯ ଟି ଦଳ ସର୍ବମୋଟ ୨୭୭ ଜଣ ପ୍ରତିଯୋଗୀ ଓ ପ୍ରତିଯୋଗିତାକୁ ସଞ୍ଚାଳନ କରିବା ପାଇଁ ୧୮୦ ପଦାଧିକାରୀ ଯୋଗଦାନ କରିଥିଲେ।
ଆଜିର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅନୁଗୁଳ ପୌର ପରିଷଦ ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ପ୍ରତିଭା ବାରିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଜିଲ୍ଲା ଶିକ୍ଷା ଅଧିକାରୀ ସୁସ୍ମିତା ସାହୁ ପ୍ରମୁଖ ଯୋଗଦେଇଥିଲେ।
୧୪ ବର୍ଷରୁ କମ୍ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତାରେ ବାଳକ ବିଭାଗରେ ସୁନ୍ଦରଗଡ଼ ଓ ବାଳିକା ବିଭାଗରେ ଭୁବନେଶ୍ବର ବିଜେତା ହୋଇଥିଲା।
କାର୍ଯ୍ୟକ୍ରମରେ ଅମ୍ବୁଜ କୁମାର ଗଡ଼ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଅନୁଗୁଳ ଭିକାରୀ ବନ୍ଧୁ ସାହୁ କ୍ରୀଡ଼ା ସଂଯୋଜନା କରିଥିଲେ।