ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ଦୁଇ ଦିନ ଧରି ଚାଲିଥିବା ଲଗାଣ ବର୍ଷାରେ ବହୁ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏଥିସହ କେତେକ ଗ୍ରାମରେ ବର୍ଷା ପାଣି ପଶି ଯିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଗଡ଼ମଣ୍ଡଳ ଭଟ୍ଟପାଳ ଠାରେ ନିର୍ମିତ ରାସ୍ତାରେ ଥିବା ଆଉଁଳୀ ନାଳ ଉପରେ ପୋଲର ଏକ ପାର୍ଶ୍ୱରୁ ୨୦ ମିଟରରୁ ଅଧିକ ମାଟି ରାସ୍ତା ଧୋଇ ଯାଇ ଘାଇ ସୃଷ୍ଟି ହୋଇଛି। ଏହାଦ୍ୱାରା ଛେଣ୍ଡିପଦା ଠାରୁ ନୂଆଗାଁ ଓ କଣଲୋଇ ସମେତ ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର କେତେକ ଅଞ୍ଚଳକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।
ଏହି ରାସ୍ତାରେ ଦୈନନ୍ଦିନ ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରୁ ସମ୍ବଲପୁର ଓ ଦେବଗଡ ଜିଲ୍ଲାକୁ ଶହ ଶହ ଯାନ ବାହନ ଓ ଭାରୀଯାନ ଯାତାୟାତ କରୁଥିବା ବେଳେ ପୋଲ ପାଖ ରାସ୍ତାରେ ଘାଇ ସୃଷ୍ଟି ହୋଇଥିବାରୁ ବହୁ ଅସୁବିଧା ଦେଖାଦେଇଛି।
ସେହିଭଳି ଆଉ କେତେକ ସ୍ଥାନରେ ବଡ଼ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ତାର ଛିଣ୍ଡି ଖୁଣ୍ଟ ମଧ୍ୟ ପଡ଼ିଯାଇଛି। ଫଳସ୍ୱରୂପ ଦିନତମାମ ବିଦ୍ୟୁତ ସରବରାହ ବନ୍ଦ ରହିଛି।
ଲୋକଙ୍କୁ ସାହାଯ୍ୟ କରିବାକୁ ଛେଣ୍ଡିପଦା ବ୍ଲକ ପ୍ରଶାସନ ପକ୍ଷରୁ କର୍ମଚାରୀମାନେ ବିପନ୍ନଙ୍କ ନିକଟରେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି।