ଅନୁଗୁଳ: ଆଜି ଭୋରୁ ଦେଉଳବେଡା ଗାଁ ରେଲୱେ ଲେବଲ୍ କ୍ରସିଙ୍ଗି ଠାରେ ଟ୍ରେନ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ପୁରନ୍ଦର ସାହୁ (କାର୍ତ୍ତିକ)। ପୁରନ୍ଦରଙ୍କ ମୃତ୍ୟୁ ପରେ ଗାଁ ଲୋକେ ରେଳରୋକ କରିବା ସହ କ୍ଷତିପୂରଣ ପାଇଁ ଦାବି କରିଥିଲେ।
ଖବର ପାଇ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତାଳଚେର ପୌରାଞ୍ଚଳର ନଗରପାଳ ପବିତ୍ର ଭୂତିଆ, ଉପନଗରପାଳ ଶୁଭସ୍ମିତା ପ୍ରଧାନ, ୧୯ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ବିଭୁ ପ୍ରସାଦ ପତି, ଶ୍ରମିକ ନେତା ମନୋଜ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକେ କ୍ଷତିପୂରଣ ପାଇଁ ଦାବି କରି ଅଡ଼ି ବସିବାରୁ ଲିଙ୍ଗରାଜ ପ୍ରକଳ୍ପ ଅଧିକାରୀଙ୍କ ଉପସ୍ଥିତିରେ ମୃତକଙ୍କ ପରିବାରକୁ ଶବଦାହ ସଂସ୍କାର ଓ ଶୁଦ୍ଧିକ୍ରିୟା ନିମନ୍ତେ ୬ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏଥିସହ ମୃତକଙ୍କ ସାନ ଝିଅ ସଂଯୁକ୍ତା ସାହୁଙ୍କୁ ୧୫ଦିନ ମଧ୍ୟରେ କୌଣସି ଏକ ଠିକା ସଂସ୍ଥାରେ ନିଯୁକ୍ତି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।