ଅନୁଗୁଳ: ଟିଟିପିଏସ୍କୁ ବନ୍ଦ କରି କେବଳ ଅନୁଗୁଳର ଗୌରବକୁ ମାଟିରେ ମିଶାଇ ଦିଆଯାଇନାହିଁ ବରଂ ୩୦ ହଜାର ପରିବାରକୁ ସର୍ବସ୍ବାନ୍ତ କରି ଦିଆଯାଇଛି । କରୋନା କାଳରେ ଦେଢ଼ ହଜାରରୁ ଅଧିକ ଶ୍ରମିକ ଜୀବିକା ହରାଇଛନ୍ତି । ପରିବେଶ ମଞ୍ଜୁରୀ ଓ ଫିଟ୍ନେସ୍ର ଦ୍ବାହି ଦେଇ ଏନ୍ଟିପିସି କର୍ତ୍ତୃପକ୍ଷ ଏହି ବନ୍ଦ ଷଡଯନ୍ତ୍ର କରିଛନ୍ତି । ଏହାକୁ ଅନୁଗୁଳ ଜିଲ୍ଲା କଂଗ୍ରେସ ଆଦୌ ବରଦାସ୍ତ କରିବନି ବୋଲି ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ବିପ୍ଳବ ଜେନା ପ୍ରକାଶ କରିଛନ୍ତି ।ତୁରନ୍ତ କେନ୍ଦ୍ର ସରକାର ଟିଟିପିସିଏସକୁ ଚାଲୁ ରଖିବା ସହିତ ନୂଆ ପ୍ଲାଣ୍ଟ କାର୍ଯ୍ୟ ଆରମ୍ଭ କରିବାକୁ ଦାବି କରିଛି । ନଚେତ୍ ଦଳ କେବଳ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବନି, ଦାବି ପୂରଣ ନହେବା ପର୍ଯ୍ୟନ୍ତ ବିଜେପିର ପ୍ରତିଟି କାର୍ଯ୍ୟକ୍ରମକୁ ବିରୋଧ କରିବ। ଏମିତି କି ବିଜେପିର ନେତୃବୃନ୍ଦ ଅନୁଗୁଳ ଆସିଲେ ସେମାନଙ୍କୁ କଡ଼ା ବିରୋଧ ସହ ଅଣ୍ଡା ମାଡ଼ କରିବାକୁ ପଛାଇବା ନାହିଁ ବୋଲି କଂଗ୍ରେସ ଚେତାବନୀ ଦେଇଛି । କରୋନା କାଳରେ ଟିଟିପିଏସ୍କୁ ବନ୍ଦ କରିବାକୁ ଜିଲ୍ଲା ସଭାପତି ବିପ୍ଳବ ଜେନା ନିନ୍ଦା କରିଛନ୍ତି ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧରେ ନଗର କମିଟି ସଭାପତି ସୁଦୀପ ମିଶ୍ର, ଅନୁଗୁଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ବଅଁରପାଳ ବ୍ଳକ ସଭାପତି ବିନୟ ମାଝି, ରାଜକିଶୋର ସାହୁ, ବାପୁଜୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ଟିଟିପିଏସ୍ ବନ୍ଦକୁ କଂଗ୍ରେସର ନିନ୍ଦା,ଚାଲୁ ନହେଲେ ଆନ୍ଦୋଳନ
- Post published:April 5, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
