ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍କୁ ନେଇ କେନ୍ଦ୍ରର ବିଜେପି ସରକାରଙ୍କୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ। ସେପ୍ଟେମ୍ବର ୨୦୨୩ରେ ‘ନାରୀଶକ୍ତି ବନ୍ଦନ ଅଧିନୟମ’ ପାରିତ ହୋଇଥିଲେ ସୁଦ୍ଧା ଏହାକୁ ୨୦୨୪ ନିର୍ବାଚନରେ କାର୍ଯ୍ୟକାରୀ ନ କରିବା ସରକାରଙ୍କ ଆନ୍ତରିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ୨୦୧୧ ଜନଗଣନା ଅନୁସାରେ ସଂରକ୍ଷଣ ଦେବାର ଥିଲା, ତେବେ ଦେଶବାସୀଙ୍କୁ ଏବର ୫୪୩ ଆସନରୁ ଏକ-ତୃତୀୟାଂଶ ମହିଳା ପ୍ରତିନିଧିଙ୍କୁ ଦେଖିବାରୁ କିଏ ବଞ୍ଚିତ କରିଛି ବୋଲି ଦଳ ପ୍ରଶ୍ନ କରିଛି। କଂଗ୍ରେସ ଅଭିଯୋଗ କରିଛି ଯେ ବିଜେପି ନିଜ ଇଚ୍ଛା ଅନୁସାରେ ଡିଲିମିଟେସନ କରାଇ ସବୁଦିନ କ୍ଷମତାରେ ରହିବାର ଅଭିସନ୍ଧି ରଖିଛି। ୧୯୮୯ରେ ରାଜୀବ ଗାନ୍ଧିଙ୍କ ଦ୍ୱାରା ପଞ୍ଚାୟତିରାଜରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଓ ପରବର୍ତ୍ତୀ ସମୟରେ ନରସିଂହ ରାଓ ଏବଂ ମନମୋହନ ସିଂହ ସରକାରଙ୍କ ଐତିହାସିକ ପଦକ୍ଷେପକୁ ବିଜେପି ଜାଣିଶୁଣି ଅଣଦେଖା କରି କେବଳ ଶ୍ରେୟ ନେବାକୁ ଚେଷ୍ଟା କରୁଛି।
ଏଥିସହ ଓଡ଼ିଶା, ତାମିଲନାଡୁ ଓ କେରଳ ଭଳି ରାଜ୍ୟ ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣରେ ସଫଳ ହୋଇଛନ୍ତି, ସେମାନଙ୍କ ପ୍ରତିନିଧିତ୍ୱ କମାଇବା ପାଇଁ ଏକ ଗୁପ୍ତ ଷଡ଼ଯନ୍ତ୍ର ରଚାଯାଇଥିବା ଅଭିଯୋଗ ହୋଇଛି। ବିରୋଧୀଙ୍କ ଦୃଢ଼ ପ୍ରତିବାଦ ପରେ ହିଁ ସରକାର ଏଥିରେ ସ୍ପଷ୍ଟୀକରଣ ରଖିଥିଲେ। ଅନ୍ୟପଟେ ବିଲକିସ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ସ୍ୱାଗତ କରିବା ଏବଂ ମଣିପୁର ଭଳି ସମ୍ବେଦନଶୀଳ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ବିଜେପିର ପ୍ରକୃତ ଚେହେରାକୁ ପଦାରେ ପକାଇଛି। ବିଧାନସଭା ନିର୍ବାଚନ ସମୟରେ ମହିଳାମାନଙ୍କୁ ପ୍ରଲୋଭିତ କରିବା ପାଇଁ ତରତର ହୋଇ ଗେଜେଟ୍ ନୋଟିଫିକେସନ୍ ପ୍ରକାଶ କରିବା ଗାଣତାନ୍ତ୍ରିକ ବିଧିବ୍ୟବସ୍ଥାର ଉଲ୍ଲଂଘନ ବୋଲି କୁହାଯାଇଛି। ମୋଦୀ-ଶାହଙ୍କ ଏହି କୂଟିଳ ରାଜନୀତିକୁ ଦେଶବାସୀ ବୁଝିସାରିଲେଣି ଏବଂ ମହିଳା ସଂରକ୍ଷଣକୁ କେବଳ ଏକ ନିର୍ବାଚନୀ ବାହାନା ଭାବେ ବ୍ୟବହାର କରାଯାଉଛି ବୋଲି କଂଗ୍ରେସ କଡ଼ା ଭାଷାରେ ନିନ୍ଦା କରିଛି।











