ଅନୁଗୁଳ: କରୋନାର ଦ୍ଵିତୀୟ ଲହରୀ ଦେଶବାସୀଙ୍କୁ ଭୟଭୀତ କରି ରଖିଥିବା ବେଳେ ଏହାର ପ୍ରଭାବ ବଜାର ଉପରେ ମଧ୍ୟ ପଡିଛି। ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ଲୋକେ ପାରାସିଟାମଲ, ଭିଟାମିନ୍ ସି ବଟିକା, ରେଡିମେଡ୍ କାଢ଼ା, ଥରମୋମିଟର ଆଦି ପାଖରେ ରଖୁଥିବା ବେଳେ ବର୍ଷକରେ କାଁ ଭାଁ ବିକ୍ରି ହେଉଥିବା ଅକ୍ସିମିଟରର ଏବେ ବଜାରରେ ବେଶ ଚାହିଦା ରହିଛି। କୋଭିଡ୍ ଆକ୍ରାନ୍ତ ରୋଗୀଙ୍କ ଅକ୍ସିଜେନ୍ ସ୍ତର କମିଯାଏ। ସାଧାରଣତଃ ସୁସ୍ଥ ମଣିଷର ରକ୍ତରେ ଅକ୍ସିଜେନ୍ ର ମାତ୍ରା ୯୪ ରୁ ୧୦୦ ପ୍ରତିଶତ ଥାଏ । ବର୍ତ୍ତମାନ ପରିସ୍ଥିତିରେ ଏଥିରୁ କମ୍ ହେଲେ କରୋନା ସନ୍ଦେହ କରାଯାଇ ଡାକ୍ତରଙ୍କ ପରାମର୍ଶ ନେବାକୁ ପଡେ। ଦୁଇ ତିନି ମାସ ଆଗରୁ ଏହା ଔଷଧ ଦୋକାନରେ ୭ଶହ ରୁ ୮ଶହ ଟଙ୍କାରେ ମିଳୁଥିବା ବେଳେ ଏବେ ଏହା ୨୫ଶହ ରୁ ୩୫ଶହ ଟଙ୍କାରେ ବିକ୍ରି କରାଯାଇଛି। ପ୍ରତି ପରିବାରରେ ଏବେ ଏହା ଅତି ଆବଶ୍ୟକ ସାମଗ୍ରୀଭାବେ ବିବେଚିତ ହେଉଥିବା ଯୋଗୁଁ ଅକ୍ସିମିଟରର ଚାହିଦା ହଠାତ୍ ବଢିଯାଇଛି। ତେବେ ଏ ସମସ୍ୟା ଖୁବଶୀଘ୍ର ଦୂର ହେବବୋଲି ପାଇକାରୀ ବ୍ୟବସାୟୀ ଆଶା ପ୍ରକଟ କରିଛନ୍ତି।