ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା କିଆକଟା ଓଭର ବ୍ରିଜ ଉପରେ ବାଇକ ରଖି ଠିଆ ହୋଇଥିବା ବେଳେ ଧକ୍କା ଦେଲା ଆମ୍ବୁଲାନ୍ସ। ଘଟଣାସ୍ଥଳରେ ଚାଲିଗଲା ଦମ୍ପତିଙ୍କ ଜୀବନ। ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ।
ସୂଚନା ମୁତାବକ, କିଆକଟା ଓଭର ବ୍ରିଜରେ ମିଟୁ ବେହେରା ଓ ତାଙ୍କ ପତ୍ନୀ ମନୋରମା ବେହେରା ଦୁଇ ଝିଅଙ୍କ ସହ ଯାଉଥିବା ବେଳେ ଦୁଇ ପିଲା ନଦୀ ଦେଖିବାକୁ କହିଥିଲେ। ଏଣୁ ସ୍ୱାମୀ ସ୍ତ୍ରୀ ଦୁଇ ପିଲାଙ୍କୁ ଓହ୍ଲାଇ ଦେଇ ନିଜେ ବାଇକରେ ବସିଥିଲେ। ଦୁଇ ଝିଅ ଚଲାପଥ ଉପରେ ଠିଆ ହୋଇ ମହାନଦୀ ଦେଖୁଥିଲେ। ଏହି ସମୟରେ କିଆକଟା ଆଡ଼ୁ ଦ୍ରୁତ ଗତିରେ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ମିଟୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ମନୋରମାଙ୍କ ମଧ୍ୟ ବୌଦ୍ଧ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖବର ପାଇ କିଆକଟା ଥାନା ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିଥିଲା। ପଞ୍ଚନାମା ପରେ ଦୁଇ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।