ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ସୁରକ୍ଷା ଦିଗକୁ ନେଇ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ବୁଧବାର ଟିକାର ବିପଦ କାରଣଗୁଡ଼ିକ ଅଧ୍ୟୟନ ପାଇଁ ଏକ ବିଶେଷଜ୍ଞ ମେଡିକାଲ୍ ପ୍ୟାନେଲ୍ ଗଠନ ପାଇଁ କୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଏହା ବ୍ୟତୀତ ଜନସ୍ୱାସ୍ଥ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶନାମା ଜାରି କରିବାକୁ ମଧ୍ୟ ଦାବି କରାଯାଇଛି।
ରିପୋର୍ଟ ଅନୁସାରେ, ଓକିଲ ବିଶାଲ ତିୱାରୀଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏହି ଆବେଦନ ଦାଖଲ ହୋଇଛି। ଆବେଦନରେ ତିୱାରୀ କହିଛନ୍ତି, ଭାରତରେ କୋଭିସିଲ୍ଡର ୧୭୫ କୋଟିରୁ ଅଧିକ ଡୋଜ ଦିଆଯାଇଛି। କୋଭିଡ୍-୧୯ ପରେ ହୃଦ୍ଘାତ ଯୋଗୁ ଓ ଅଚାନକ ଚେତାଶୂନ୍ୟ ହେବା ଯୋଗୁ ମୃତ୍ୟୁ ହାର ବଢ଼ି ବଢ଼ି ଚାଲିଛି। ଏପରିକି ଯୁବକଙ୍କୁ ବି ହୃଦ୍ଘାତ ହେଉଥିବାର ଅନେକ ମାମଲା ସାମ୍ନାକୁ ଆସିଲାଣି। ଏବେ କୋଭିସିଲ୍ଡର ଡେଭଲପରଙ୍କ ପକ୍ଷରୁ ବ୍ରିଟେନ କୋର୍ଟରେ ଡକ୍ୟୁମେଣ୍ଟ ଦାଖଲ ପରେ, ଆମେ କୋଭିସିଲ୍ଡ ଭାକ୍ସିନର ବିପଦଜନକ ପରିଣାମକୁ ନେଇ ଚିନ୍ତା କରିବାକୁ ବାଧ୍ୟ ହେଉଛୁ, ଯାହା ବହୁ ସଂଖ୍ୟାରେ ନାଗରିକଙ୍କୁ ଦିଆଯାଇଛି ବୋଲି ସେ କହିଛନ୍ତି।
ଏହି ଆବେଦନରେ କୁହାଯାଇଛି ଯେ ଟିକା ବିକଶିତ କମ୍ପାନୀ ଆଷ୍ଟ୍ରା ଜେନେକା କହିଛି ଯେ କୋଭିଡ୍ ୧୯ ବିରୋଧରେ ଏହାର AZD1222 ଟିକା କମ୍ ପ୍ଲାଲେଟ୍ ଗଣନା କରିପାରେ ଏବଂ କ୍ୱଚିତ୍ ରକ୍ତ ଜମାଟ ବାନ୍ଧିପାରେ। ଏହି ଟିକା ଭାରତରେ କୋଭିସିଲ୍ଡ ଭାବରେ ଲାଇସେନ୍ସ ଅଧୀନରେ ପ୍ରସ୍ତୁତ କରାଯାଇଥିଲାା। କୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯିବା ଉଚିତ ଏବଂ କୋଭିସିଲ୍ଡର ପାର୍ଶ୍ୱ ପ୍ରତିକ୍ରିୟା ଅନୁସନ୍ଧାନ କରାଯିବା ଉଚିତ। କମିଟିରେ ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକଙ୍କୁ ଏକ୍ସପର୍ଟ ସଦସ୍ୟ ରୂପେ ସାମିଲ କରିବାକୁ ମଧ୍ୟ ଦାବି ହୋଇଛି।