ଲକ୍ଷ୍ମୀ ବସ୍‍ ସେବାରେ ହୋଇଛି ୪୮୦ କୋଟି ଟଙ୍କାରୁ ଅଧିକ କ୍ଷତି : ପରିବହନ ମନ୍ତ୍ରୀ

0

ଭୁବନେଶ୍ୱର: ରାଜ୍ୟରେ ଲକ୍ଷ୍ମୀ ବସ୍‍ ସେବାରେ ୪୮୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇ ସାରିଲାଣି ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।

ବିଜେପି ବିଧାୟକ ଅମର କୁମାର ନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ବର୍ତ୍ତମାନ ଗ୍ରାମାଞ୍ଚଳ ପରିବହନ ସେବା ନୀତି ଆୟୋଗ, ଭାରତ ସରକାର ଏବଂ ପିଏମ୍‍ ଇ-ବସ୍‍ ସେବା, ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯାଇଛି ଓ ଏହା ଜିସିସି ମଡେଲ ମାଧ୍ୟମରେ ବସ୍‍ଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉଛି।

ଏହି ବସ୍‍ ସେବା ସରକାରୀ ଘରୋଇ ସହଭାଗିତାରେ ଚଳାଚଳ କରୁଥିବା ବେଳେ ଅପରେଟରଙ୍କୁ ଇ-ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି। ଟେଣ୍ଡର ପ୍ରକ୍ରିୟାରେ ଚୟନ ହୋଇଥିବା ଅପରେଟରମାନେ ହେଲେ କୁନାଲ ଟ୍ରାନ୍ସପୋର୍ଟ ପ୍ରାଇଭେଟ ଲିମିଟେଡ, ଚାରଟର୍ଡ ସ୍ପିଡ୍‍ ଲିମିଟେଡ ଓ ପ୍ରୋଗେସିଭ ଟ୍ରାନ୍ସିଟ ପ୍ରାଇଭେଟ୍‍ ଲିମିଟେଡ୍। କଣ୍ଡକ୍ଟର ଯୋଗାଣ ପାଇଁ ୩୦ଟି ଜିଲ୍ଲାରୁ ଗୋଟିଏ କରି ବ୍ଲକକୁ ଚିହ୍ନଟ କରାଯାଇଥିଲା।

ମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍‍ ଚଳାଚଳରୁ ବର୍ତ୍ତମାନ ସୁଦ୍ଧା ୪୪,୪୧,୯୧,୭୭୭ ଟଙ୍କା ଆୟ ହୋଇଥିବା ବେଳେ ୫୨୪,୫୮,୪୭,୭୪୦ ଟଙ୍କା ବ୍ୟୟ ହୋଇଛି। ତେଣୁ ମୋଟାମୋଟି ଭାବେ ଏହି ବସ୍‍ ଚଳାଚଳ ଯୋଗୁଁ ୪୮୦, ୧୬,୫୬,୫୬୩ ଟଙ୍କା କ୍ଷତି ହୋଇଛି।

ରାଜ୍ୟ ସରକାରଙ୍କ ଆମ ବସ୍‍ଷ୍ଟାଣ୍ଡ ଯୋଜନା ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୫୫ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ୩୦୪.୦୯ କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ବର୍ତ୍ତମାନ ସୁଦ୍ଧା ୫୪ଟି ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ୧୩୩ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ଯୋଜନା କରାଯାଇଛି ଏବଂ ଏଥିପାଇଁ ୨୧୦୬ କୋଟି ୪୯ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି।

Leave A Reply

Your email address will not be published.

error: Content is protected !!