ଅନୁଗୁଳ: ଅନୁଗୁଳ ଟାଉନ ଥାନା ପୋଲିସ ପାଟ୍ରୋଲିଂ ବେଳେ ବାଣ ଭର୍ତ୍ତି ଏକ ଗାଡ଼ିକୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁସାରେ, ଏକ ପିକ୍ଅପ୍ ଭ୍ୟାନ୍ (ଓଡି-୩୫-ଏଫ୍-୯୪୩୬)ରେ ଚୋରା ବାଣ ଯାଉଥିବା ଖବର ପାଇ ଅନୁଗୁଳ ଟାଉନ ଥାନା ପୋଲିସ ପିଛା କରିଥିଲା। ଗାଡ଼ିକୁ ପୋଲିସ ହେମସୁରପଡ଼ା ଡିଆଇସି ଛକରେ ଅଟକାଇ ଯାଞ୍ଚ କରିବାରୁ ସେଥିରୁ ପାଖାପାଖି ୩୦ ପେଟି ବାଣ ମିଳିଥିଲା। ପୋଲିସ ବାଣ ଜବତ କରିବା ସହ ରେଙ୍ଗାଳି ଥାନା ବଜ୍ରକୋଟ ଗାଁର ବ୍ରଜବନ୍ଧୁ ବେହେରା ଓ ସୁକାନ୍ତ କୁମାର ସାହୁଙ୍କୁ ଗିରଫ କରିଛି। ଜବତ ବାଣର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
ଅପରପକ୍ଷରେ ଅନୁଗୁଳ ସଦର ଥାନା ପୋଲିସ ସହର ଉପକଣ୍ଠ ସାକସିଂହାରେ ଏକ ବେଆଇନ୍ ବାଣ ଗୋଦାମ ଉପରେ ଚଢ଼ଉ କରି ପ୍ରାୟ ୨ ଲକ୍ଷ ଟଙ୍କାର ବାଣ ଜବତ କରିଛି। ଚଢ଼ଉ ବେଳେ ପ୍ରାୟ ୩୦ ପ୍ରକାର ବାଣ ଜବତ ହୋଇଛି। ବାଣ କାରବାର ନେଇ ପୋଲିସ ଲାଇସେନ୍ସ ମାଗିଥିଲେ ମଧ୍ୟ ଦୋକାନୀ କିଛି ଦେଖାଇ ପାରିନଥିଲେ। ପରେ ପୋଲିସ ଦୋକାନୀ ହେମସୁରପଡ଼ାର ଲମ୍ବୋଦର ପୃଷ୍ଟିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଆଗକୁ ଏମିତି ଚଢ଼ଉ ଜାରି ରହିବ ବୋଲି ପୋଲିସ କହିଛି।


