ଅନୁଗୁଳ: ଶିଳ୍ପନଗରୀରେ ବେକାବୁ ହୋଇଛି ସାଇବର ଠକେଇ । ପୁଲିସ୍ ସାଇବର ଅପରାଧୀଙ୍କ ଥଳକୂଳ ପାଉନଥିବା ବେଳେ ଭିନ୍ନ ଭିନ୍ନ ତରିକାରେ ଲୋକଙ୍କ କଷ୍ଟଅର୍ଜତ ଟଙ୍କାକୁ ଲୁଟିବାରେ ଲାଗିଛନ୍ତି ଠକ । ସାଇବର ଅପରାଧୀଙ୍କ ହାବୁଡ଼ରେ ପଡ଼ି ଜଣେ ଶିକ୍ଷକ ଠକେଇର ଶିକାର ହୋଇଥିବା ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସାଇବର ଲୁଟେରା ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଛି। ପୁଲିସ୍ ସୂଚନା ମୁତାବକ, ସାଇବର ଠକେଇର ଶିକାର ହୋଇଥିବା ଶିକ୍ଷକ ହେଲେ ବନ୍ତଳା ଥାନା ଇଲାକା ଲୋକେଇପଶି ଗ୍ରାମର ସନ୍ତୋଷ କୁମାର ନନ୍ଦ(୫୨) । ବନ୍ତଳା ଏସ୍ବିଆଇ ଶାଖାରେ ତାଙ୍କର ଆକାଉଣ୍ଟ ରହିଛି । ଶ୍ରୀ ନନ୍ଦଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା । ନିଜକୁ ଏସ୍ବିଆଇ ମୁଖ୍ୟ ଶାଖାର କର୍ମଚାରୀ ବୋଲି ପରିଚୟ ଦେଇଥିଲା ଠକ। ତୁମ ଆକାଉଣ୍ଟରୁ ଟଙ୍କା କଟିଯାଇଛି । ଟଙ୍କା ଫେରସ୍ତ ପାଇବାକୁ ହେଲେ ମୋବାଇଲକୁ ଯାଇଥିବା ଓଟିପି ପଠାଇବା ପାଇଁ ଠକ କହିଥିଲା । ତା’ କଥାରେ ଭାସିଯାଇ ଶ୍ରୀ ନନ୍ଦ ଓଟିପି ଦେଇଥିଲେ । ସାଇବର ଠକ ୩ ଥରରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଲୁଟି ନେଇଥିଲା । ଶ୍ରୀ ନନ୍ଦ ଏନେଇ ବନ୍ତଳା ଏସ୍ବିଆଇ ଶାଖାରେ ଯୋଗାଯୋଗ କରିବା ପରେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ସେ ଏନେଇ ବନ୍ତଳା ଥାନାରେ ରବିବାର ଅଭିଯୋଗ କରିଛନ୍ତି ।
ସାଇବର ଠକେଇ, ଫସିଲେ ଶିକ୍ଷକ, ୫୦ ହଜାର ଲୁଟ୍
- Post published:March 22, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
