ସାଇବର ଅପରାଧୀ ବେଲଗାମ

You are currently viewing ସାଇବର ଅପରାଧୀ ବେଲଗାମ

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଥମିବାର ନାଁ ନେଉନି ସାଇବର ଠକେଇ। ନୂଆ ନୂଆ ଉପାୟରେ ବରିଷ୍ଠ ନାଗରିକ, ବ୍ୟବସାୟୀ ଓ ନିରୀହ ସାଧାରଣ ଲୋକଙ୍କୁ ନିଜ ଜାଲରେ ଫସାଇ ସେମାନଙ୍କ ସ˚ଚିତ ଅର୍ଥକୁ ଲୁଟି ଚାଲିଛନ୍ତି ସାଇବର ଅପରାଧୀ। ସେପଟେ ପୁଲିସ୍‌ କିନ୍ତୁ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଛି। ସାଇବର ଲୁଟେରାଙ୍କ ଥଳକୂଳ ପାଉନଥିବା ବେଳେ ସାଇବର ଲୁଟେରା ଗୋଟିଏ ପରେ ଗୋଟିଏ ଠକେଇ କରି ଚାଲିଛନ୍ତି। ବିକ୍ରମପୁର ଥାନା ଇଲାକାରେ ଦୁଇଜଣ ଯୁବକ ସାଇବର ଠକେଇର ଶିକାର ହୋଇଛନ୍ତି। ସାଇବର ଠକ ଉଭୟଙ୍କ ଆକାଉଣ୍ଟରୁ ପ୍ରାୟ ୭୭ ହଜାର ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଚିରାଚରିତ ଢଙ୍ଗରେ ମାମଲା ରୁଜୁ କରି ଛାନ୍‌ଭିନ୍‌ ଚଳାଇଛି।
ପୁଲିସ୍‌ ସୂଚନା ମୁତାବକ, ୧୩୨ କେଭି ସବ୍‌ଷ୍ଟେସନ୍‌ ନନ୍ଦିରା କଲୋନୀରେ ଜିତେନ୍ଦ୍ର ସି˚ହ ଶେଖାଵତ (୨୬)ଙ୍କ ଆକାଉଣ୍ଟରୁ ୬୭ ହଜାର ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା। ଗତ ୧ ତାରିଖ ଦିନ ଜିତେନ୍ଦ୍ର ଫେସ୍‌ବୁକ୍‌ରେ ଏକ ବୁଲେଟ୍‌ ବିକ୍ରି ନେଇ ବିଜ୍ଞାପନ ଦେଖିଥିଲେ। ସେଠାରେ ଉପଲବ୍ଧ ଥିବା ମୋବାଇଲ୍‌ ନମ୍ବରକୁ ଫୋନ୍‌ କରିଥିଲେ। ବୁଲେଟ୍‌ର ଦାମ ୫୫ ହଜାର ଟଙ୍କା ରହିଥିବା ବେଳେ ସାଇବର ଠକ ଲୋଭ ଦେଖାଇ ଜାଲ ବିଛାଇଥିଲା। ଠକ କଥାରେ ଭାସି ଯାଇ ତାର ନିର୍ଦ୍ଦେଶ ମାନିବାରୁ ସାଇବର ଠକ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୬୭ ହଜାର ଟଙ୍କା ଖାଲି କରି ପକାଇଥିଲା।ସେହିପରି ବଳରାମ ଟାଉନ୍‌ସିପ୍‌ର ପ୍ରାଣବଲ୍ଲଭ ଦାଶଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ ହ୍ୟାକ କରି ସାଇବର ଠକ ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ୧୦ ହଜାର ଟଙ୍କା ଲୁଟିଥିବା ଅଭିଯୋଗ ହୋଇଛି। ବାରମ୍ବାର ସାଇବର ଲୁଟ୍‌ ହେଉଥିଲେ ମଧ୍ୟ ଏ ଦିଗରେ ପୁଲିସ୍‌ କୁଳକିନାରା ପାଉନଥିବା ବେଳେ ସାଧାରଣରେ ସଚେତନତା ସୃଷ୍ଟି ନହେବା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ସୃଷ୍ଟି କରିଛି।

Share

Leave a Reply