ଅନୁଗୁଳ: ଗଛରେ ଝୁଲିଛି ମାଲିକର ମୃତ ଦେହ ଆଉ ତଳେ ଜଗି ବସିଛି ପୋଷା କୁକୁର। କେହି ପାଖକୁ ଗଲେ ଭୋକୁଛି, ଆଉ କାମୁଡ଼ିବାକୁ ଗୋଡ଼ାଉଛି। କାହାକୁ ବି ମାଲିକର ଶବ ପାଖ ମଡ଼େଇ ଦେଉନି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ରାଣୀଗୋଡା ପୋଖରୀ (କଟା) ନିକଟରେ ଥିବା। ଏଠାରେ ଏକ ଜମ୍ବୁ ଗଛରେ ଝୁଲିଛି ଗାଁର ମଣିଆ ବେହେରାଙ୍କ ମୃତ ଶରୀର। ତେବେ ଏହାକୁ ସମ୍ପର୍କୀୟ ଆତ୍ମହତ୍ୟା ନୁହେଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି।
ସୂଚନା ମୁତାବକ, କିଛି ଦିନ ପୂର୍ବରୁ ଏହି ରାଣୀଗୋଡା ପୋଖରୀ ନିଲାମ ହୋଇଥିଲା। ପୂର୍ବରୁ ତୁରଙ୍ଗ ଗ୍ରାମର ଜଣେ ବ୍ୟକ୍ତି ନିଲାମ ନେଇ ଥିଲେ। ସେ ପୋଖରୀ ହୁଡାରେ କିଛି ଗୋରୁ ରଖି ଥିଲେ ଓ ଗୋରୁଙ୍କ ଦେଖା ରଖା କରିବା ପାଇଁ ରାଣୀ ଗୋଡା ଅଞ୍ଚଳର ଶୁକ୍ରୁ ବେହେରାଙ୍କ ପୁଅ ମଣିଆ ବେହେରା (୫୮) ଙ୍କୁ ରଖିଥିଲେ। ପୋଖରୀ ନିଲାମ ହେବା ପରେ ଅନ୍ୟ ଜଣେ ମାଲିକ ପୋଖରୀକୁ ନେଇଥିଲେ। ନିଲାମ ନେବା ଦିନ ଠାରୁ ଗତ କାଲି ପର୍ଯ୍ୟନ୍ତ ମଣିଆ ସେଠାରେ ଗୋରୁ ମାନଙ୍କୁ ଦେଖା ରଖା କରୁଥିଲେ। ଆଜି ସକାଳୁ ଦେଖିଲା ବେଳକୁ ଜମ୍ବୁ ଗଛରେ ମଣିଆଙ୍କର ମୃତ ଶରୀର ଝୁଲିଛି। ସମ୍ପର୍କୀୟ ଲୋକ ଘଟଣା ବିଷୟରେ ଜାଣିବା ପରେ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି।
ସମ୍ପର୍କୀୟଙ୍କ କହିବା କଥା ହେଉଛି, ଏଠାରେ ପୋଖରୀ ନେଇଥିବା ମାଲିକ ମଣିଆକି ବାଡ଼ିଆ ପିଟା କରନ୍ତି ବୋଲି ପୂର୍ବ ମାଲିକ କହୁଛନ୍ତି। ତେବେ ମାଲିକର ଏଭଳି ମୃତ୍ୟୁକୁ ପୋଷା କୁକୁର ବି ବୋଧେ ଗ୍ରହଣ କରିପାରିନାହିଁ। ଏଣୁ ପାଖ ଛାଡ଼ି ଯାଉନି। ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।