ଆଖିବୁଜିଲେ ବିଶିଷ୍ଟ ରକ୍ତଦାତା ରମଣୀ ରଂଜନ

0

ଅନୁଗୁଳ: ଯୁବ ସ୍ୱେଚ୍ଛା ରକ୍ତଦାତା ତଥା ଅନୁଗୁଳ ରକ୍ତ ଭଣ୍ଡାର କର୍ମଚାରୀ ରମଣୀ ରଞ୍ଜନ ଗଡ଼ନାୟକଙ୍କ ଶୁକ୍ରବାର ରାତିରେ ଆଖି ବୁଜିଛନ୍ତି । ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା। ସେ ପାନ୍‌କ୍ରିୟାଟିକ୍ କ୍ୟାନ୍‌ସରରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲା ବେଳେ ଗତ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ । ତାଙ୍କ ଅକାଳ ବିୟୋଗରେ ଅନୁଗୁଳ ଜିଲ୍ଲାରେ ଶୋକ ଖେଳିଯାଇଛି। ରମଣୀ ରଂଜନ ଅନୁଗୁଳ ରକ୍ତ ଭଣ୍ଡାରର ଡୋନ୍‌ର ରିକ୍ରୁଟର ଭାବେ କାର୍ଯ୍ୟ କରୁଥିଲେ । ଗାଁ’ ଗାଁରେ ରକ୍ତଦାନ ଶିବିର ଆୟୋଜନ କରିବା ସହ ରକ୍ତଦାତାଙ୍କୁ ରକ୍ତଦାନ ପାଇଁ ଆଗ୍ରହୀ କରିବାରେ ସେ ଗୁରୁତ୍ବପୂର୍ଣ ଭୂମିକା ତୁଲାଇ ଆସୁଥିଲେ। ଏପରିକି ଆବଶ୍ୟକ ସ୍ଥଳେ ଯେ ନିଜେ ରକ୍ତ ଯୋଗାଡ଼ କରି ରୋଗୀଙ୍କୁ ଦେବାକୁ ଆଗଭର ହୋଇ କାର୍ଯ୍ୟ କରୁଥିଲେ । ୬ ମାସ ତଳେ ତାଙ୍କ ଦେହ ଅସୁସ୍ଥ ହେବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସା ସମୟରେ ତାଙ୍କୁ ପାନକ୍ରିୟାଟିକ୍ କ୍ୟାନସର ହୋଇଥିବା ଜଣାପଡ଼ିଥିଲା। ଜାନୁଆରୀ ୨୫ ତାରିଖରେ ଏମ୍ସରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। ୨ ମାସରୁ ଅଧିକ ସମୟ ହେଲା ସେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କର ପୈତୃକ ଘର ଅନୁଗୁଳ ବ୍ଲକର ବାଦିବାହାଳ ଗ୍ରାମରେ। ଅନ୍ତିମ ଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଦୁଇ ପୁଅଝିଅ ଓ ଆତ୍ମୀୟ ଲୋକମାନେ ଉପସ୍ଥିତ ଥିଲେ। ରମଣୀଙ୍କ ଅକାଳ ବିୟୋଗରେ ରକ୍ତଭଣ୍ଡାର ଅଧିକାରୀ, କର୍ମଚାରୀ ଏବଂ ସ୍ବେଚ୍ଛା ରକ୍ତଦାତାଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି।

Leave A Reply

Your email address will not be published.

error: Content is protected !!