ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ବନ୍ୟଜନ୍ତୁ ଶିକାରୀଙ୍କ ବିରୋଧରେ ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଖିଣ୍ଡା ସେକ୍ସନ ବାରଗୌଣିଆ ବିଟ୍ ଅନ୍ତର୍ଗତ ମାଗୁରାଖାଲ ଗାଁରେ ଚଢ଼ଉ କରି ବହୁ ପରିମାଣର ଶିକାର ସାମଗ୍ରୀ ଜବତ କରିଛି ବନ୍ତଳା ବନ ବିଭାଗ।
ବିଶେଷ ସୂତ୍ରରୁ ଖବର ପାଇ ବନ୍ତଳା ରେଞ୍ଜର ପ୍ରସନ୍ନ କୁମାର ସାହୁଙ୍କ ନେତୃତ୍ଵରେ ଏକ ସ୍ୱତନ୍ତ୍ର ଟିମ୍ ଗୁରୁବାର ମାଗୁରାଖାଲ ଗ୍ରାମର କହ୍ନେଇ ବେହେରାଙ୍କ ଘରେ ହଠାତ ଚଢ଼ଉ କରିଥିଲେ। ବନ ବିଭାଗର ଆଗମନ ଜାଣିପାରି ଅଭିଯୁକ୍ତ କହ୍ନେଇ ଘରୁ ଫେରାର ହୋଇଯାଇଥିଲେ। ତେବେ ତାଙ୍କ ସ୍ତ୍ରୀଙ୍କ ଉପସ୍ଥିତିରେ ଘରର ଯାଞ୍ଚ କରାଯିବା ସମୟରେ ବେଆଇନ ଶିକାର ପାଇଁ ରଖାଯାଇଥିବା ମାରଣାସ୍ତ୍ର ମିଳିଥିଲା।
ତାଙ୍କ ଘରୁ ୨ଟି ଦେଶୀ ବନ୍ଧୁକର ନଳି, ବନ୍ୟଜନ୍ତୁ ଶିକାର ପାଇଁ ବ୍ୟବହୃତ ବହୁ ପରିମାଣର ଜିଆଇ (GI) ତାର,
ବିଦ୍ୟୁତ ସଂଯୋଗ ମାଧ୍ୟମରେ ଶିକାର ପାଇଁ ବ୍ୟବହୃତ ଇଲେକ୍ଟ୍ରିକ୍ ତାର ଜବତ ହୋଇଛି।
ଏହି ଘଟଣା ସମ୍ପର୍କରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିଥିବା ନେଇ ବନ ଅଧିକାରୀ ସୂଚନା ଦେଇଛନ୍ତି।
ଏହି ଚଢ଼ଉ କାର୍ଯ୍ୟକ୍ରମରେ ଫରେଷ୍ଟର ଶ୍ରୀନିବାସ ସାହୁ, ବିଜୟ କୁମାର ନାୟକଙ୍କ ସମେତ ଫରେଷ୍ଟ ଗାର୍ଡ ଲିପକ ବେହେଲା, ଜିତେନ୍ଦ୍ର ବେହେରା ଓ ନିରୁପମା ନାୟକ ସାମିଲ ହୋଇ ପ୍ରମୁଖ ସହଯୋଗ କରିଥିଲେ।











