ଭୁବନେଶ୍ବର: ଓଡ଼ିଶା ବିଦ୍ୟୁତ ଶକ୍ତି ସଂଚାର ନିଗମ(ଓପିଟିସିଏଲ) ଯନ୍ତ୍ରୀ ସଂଘର ଭୁବନେଶ୍ବର, ଅନୁଗୁଳ, ବ୍ରହ୍ମପୁର, ବାଲେଶ୍ବର କ୍ଷେତ୍ରର ଆଞ୍ଚଳିକ କାର୍ଯ୍ୟକାରିଣୀ ବୈଠକ ଗତ ସପ୍ତାହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଦୀର୍ଘ ବର୍ଷ ଧରି ନିଗମ କର୍ତ୍ତୃପକ୍ଷ ଦ୍ବାରା କ୍ରମାଗତ ଅବହେଳା ସମ୍ପର୍କରେ ଆଲୋଚନା ହୋଇଥିଲା। ଆୟୋଜିତ ବୈଠକରେ ଯନ୍ତ୍ରୀମାନଙ୍କର କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବରେ ନିଗମ କର୍ତ୍ତୃପକ୍ଷଙ୍କ କ୍ରମାଗତ ଉପେକ୍ଷା ଓ ଉଦାସୀନତାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ ପାଇଥିଲା।
ସଂଘ ଦେଇଥିବା ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ପ୍ରତ୍ୟକ ବୈଷୟିକ ବିଭାଗର କ୍ୟାଡ଼ର ପୁନର୍ଗଠନ କାର୍ଯ୍ୟକାରୀ ହୋଇ ସାରିଛି। ହେଲେ ଓପିଟିସିଏଲ ମାନବ ସମ୍ବଳ ବିଭାଗ ଏବଂ ନିର୍ଦ୍ଦେଶକଙ୍କ ଚଞ୍ଚକତା ଯୋଗୁଁ ନିଗମର କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବ ଶକ୍ତି ବିଭାଗରେ ବିଚାରାଧୀନ ରହିଛି ବୋଲି ସଂଘ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୨୪ ମସିହାରେ ପୁନର୍ବାର ଅନେକ ସରକାରୀ ବୈଷୟିକ ବିଭାଗମାନଙ୍କର କ୍ୟାଡ଼ର ପୁନର୍ଗଠନ ପ୍ରକ୍ରିୟା ଶେଷ ହୋଇଛି। ଶକ୍ତି ବିତରଣ ସଂସ୍ଥାମାନଙ୍କର କ୍ୟାଡ଼ର ପୁନର୍ଗଠନ ପ୍ରସ୍ତାବ ପାରିତ ହେବା ସହ କାର୍ଯ୍ୟକାରୀ ମଧ୍ୟ ହୋଇସାରିଛି।
ନିୟମାନୁଯାୟୀ ସମସ୍ତ ନୀତି ପ୍ରଥମେ ଓପିଟିସିଏଲରେ କାର୍ଯ୍ୟକାରୀ ହେଲାପରେ ଅନ୍ୟ ଶକ୍ତି ବିଭାଗ ନିଗମ ଗୁଡିକରେ ପ୍ରଣୟନ କରାଯାଏ। କିନ୍ତୁ ଏହି ବିଚ୍ୟୁତି ଓ ବିରୋଧାଭାଷ ନିଗମ କର୍ତ୍ତୃପକ୍ଷ ଏବଂ ବିଭାଗୀୟ ଶୀର୍ଷାଧିକାରୀମାନଙ୍କର ଉଦାସୀନତାକୁ ଦର୍ଶାଉଥିବା ସଂଘ କାର୍ଯ୍ୟକର୍ତ୍ତାମାନେ କହିଛନ୍ତି। ଏତତବ୍ୟତୀତ ସମ୍ପତି ବିମୁଦ୍ରିକରଣ, ଶୁଳ୍କ ଭିତ୍ତିକ ବିଡିଙ୍ଗ, ବିଦ୍ୟୁତ ପ୍ରକଳ୍ପ ସୁପରିଚାଳନା ପରି ଅନେକ ସମସ୍ଯା ଉପରେ ଯନ୍ତ୍ରୀ ସଂଘ, ନିଗମ କର୍ତ୍ତୃପକ୍ଷଙ୍କୁ ଆଲୋଚନା ପାଇଁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ସମସ୍ୟାର ସମାଧାନ ପାଇଁ ସଂଘ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯାଇଛି। ସମସ୍ୟାର ସମାଧାନ ନହେଲେ ପରବର୍ତ୍ତୀ ସମୟରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।


