ଅନୁଗୁଳ: ନାଲକୋ ବସ୍ ଷ୍ଟାଣ୍ଡ୍ରେ ନାହିଁ ଯାତ୍ରୀ ବିଶ୍ରାମାଗାର। ଖରା ହେଲେ ସିଝୁଛନ୍ତି ଆଉ ବର୍ଷା ହେଲେ ଭିଜୁଛନ୍ତି ଯାତ୍ରୀ। କିନ୍ତୁ ଦେଖିବାକୁ କେହି ନାହିଁ। କଟକ, ସମ୍ବଲପୁର ୫୫ନଂ ଜାତୀୟ ରାଜପଥ କଡ଼ରେ ପ୍ଲାଣ୍ଟ ଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରତିଦିନ ଶହଶହ ଲୋକ ଯିବା ଆସିବା କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ନାଲକୋ ଟାଉନସିପି ଛକ ଠାରେ ନାହିଁ ଯାତ୍ରୀମାନଙ୍କ ପାଇଁ ବିଶ୍ରାମ ଗୃହ, ପାଣି ଓ ଶୌଚାଳୟ। ଫଳରେ ଯାତ୍ରୀମାନେ ଖରା ବର୍ଷାରେ ରାସ୍ତା କଡରେ ଛିଡ଼ା ହୋଇ ହନ୍ତସନ୍ତ ହେଉଛନ୍ତି।
୨୦ ବର୍ଷ ତଳେ କାଣ୍ଡସର ଗ୍ରାମର ସମାଜସେବୀ ବିଷ୍ଣୁ ଚରଣ ବେହେରା ଓ କଂଗ୍ରେସର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ଉଦ୍ୟମରେ ନାଲକୋ ଛକଠାରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ କରାଯାଇଥିଲା। କିନ୍ତୁ ଚାରି ବର୍ଷ ତଳେ କିଛି ବ୍ୟକ୍ତି ରାଜନୈତିକ ଉଦ୍ଦେଶ୍ୟ ରଖି ଉକ୍ତ ବିଶ୍ରାମ ଗୃହକୁ ଭାଙ୍ଗି ଦେଲେ। ଏହି ବସଷ୍ଟାଣ୍ଡ ଉପରେ ନାଲକୋ କଲୋନୀ ବାସିନ୍ଦା ଅଧିକ ମାତ୍ରାରେ ନିର୍ଭରଶୀଳ ହେଉଥିବାରୁ ନାଲକୋ ପ୍ରଶାସନ ପକ୍ଷରୁ ଦୁଇ ବର୍ଷ ହେଲା ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ଯାତ୍ରୀ ବିଶ୍ରାମ ଗୃହ ନିର୍ମାଣ ହୋଇଥିଲା। କିନ୍ତୁ ଏହା ଜାତୀୟ ରାଜପଥ ଠାରୁ ଦୂରରେ ଅବସ୍ଥିତ। ସେଠାକୁ ରାସ୍ତା ନ ଥିବା ଫଳରେ ଉକ୍ତ ଗୃହଟି ଲୋକଙ୍କ ସେବାରେ ଲାଗିପାରୁ ନାହିଁ। ଏଣୁ ଏଠାରେ ଏକ ଯାତ୍ରୀ ବିଶ୍ରାମଗୃହ ନିର୍ମାଣ କରିବା ସହ ରାତିରେ ସୁରକ୍ଷା ପାଇଁ ପୁଲିସ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।