ଅନୁଗୁଳ: ଅନୁଗୁଳ ବ୍ଳକ୍ ନନ୍ଦପୁର ଗ୍ରାମ ପଞ୍ଚାୟତର ସମସ୍ତ ଗାଁ’କୁ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି। କଂଗ୍ରେସର ଛାତ୍ର ନେତା ସ୍ବାଧୀନ ଦେହୁରୀଙ୍କ ନେତୃତ୍ବରେ ଶୁକ୍ରବାର ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ପ୍ରଦାନ କରାଯାଇଛି । ଅଭିଯୋଗ ମୁତାବକ, ସରକାରଙ୍କ ବସୁଧା ଯୋଜନାରେ ନନ୍ଦପୁର ପଞ୍ଚାୟତର କେବଳ ନନ୍ଦପୁର ଓ ବ୍ରହ୍ମପୁର ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯାଉଛି। କିନ୍ତୁ ପଞ୍ଚାୟତର ମଧୁପୁର, ମାଧପୁର, କରତପଟା, କରଡାସିଂହ, ଚନ୍ଦନପୁର, ସାରୁଆଳି, ରାଜନଗର, ହିଂସାଲୋଇ ଓ ପବଲା ଗ୍ରାମର ଲୋକ ପାନୀୟ ଜଳରୁ ବଞ୍ଚିତ ହୋଇଛନ୍ତି। କିଛି ଗ୍ରାମରେ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ବୋରୱେଲ ଖୋଳା ସରିଛି। କିନ୍ତୁ ପାଇପ୍ ବିଛା ହୋଇନଥିବାରୁ କାମ ଆଗେଇ ପାରୁନି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେତେ ଗାଁରେ ନଳକୂପରୁ ଲୁହା ଗୁଣ୍ଡ ଓ ଗୋଳିଆ ପାଣି ବାହାରୁଛି । ଯାହାକି ପିଇବା ଉପଯୋଗୀ ହୋଇପାରୁନାହିଁ । ପିଇବା ପାଣି ପାଇଁ ଲୋକଙ୍କୁ ବହୁ ରାସ୍ତା ଅତିକ୍ରମ କରିବାକୁ ପଡୁଛି। ଲୋକଙ୍କ ଜଳ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ତୁରନ୍ତ ପ୍ରକଳ୍ପ କାମ ସାରି ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି।
ବସୁଧା ଯୋଜନାରେ ଗାଁ’କୁ ପାଣି ଯୋଗାଇବା ପାଇଁ ଦାବିପତ୍ର
- Post published:September 26, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
