ବଇଣ୍ଡା: ଅଳଗୁଳ ଜିଲ୍ଲା ହଣ୍ଡପା ଥାନା ଅଞ୍ଚଳର ବଇଣ୍ଡା ଛକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ବଇଣ୍ଡା ଅଟଳ ସ୍ମୃତି ପରିଷଦ ପକ୍ଷରୁ ଶନିବାର ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଭାଜପା ନେତା ପରେଶ ଦେଓଙ୍କ ନେତୃତ୍ୱରେ ରାଜେନ୍ଦ୍ର ସାହୁ, ବିଦ୍ୟୁତ ପ୍ରାଣୀଗ୍ରାହୀ, ଅର୍ଜୁନ ରାଉଳ, ଭବାନୀ ଜୋତିଶରାୟ, ଅଶୋକ ସାହୁ ଓ ସୁଶାନ୍ତ ପ୍ରଧାନ ଉପଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଅଟଳଜୀଙ୍କ ଜନ୍ମବାର୍ଷିକୀ ଅବସରରେ ଆଠମଲ୍ଲିକର ମୁଖ୍ୟ ପେଣ୍ଠସ୍ଥଳୀ ବଇଣ୍ଡାଠାରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ। ଏହି ମୂର୍ତ୍ତି ସ୍ଥାପନ ପାଇଁ ଉପଖଣ୍ଡ ପ୍ରଶାସନ ଶୀଘ୍ର ଜମି ପ୍ରଦାନ କରନ୍ତୁ ବୋଲି ଦାବି କରାଯାଇଛି।
