ଅନୁଗୁଳ: ତାଳଚେର ଓ ପାଳଲହଡ଼ାକୁ ମିଶାଇ ରାଜ୍ୟ ସରକାର ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ପୂର୍ବତନ ନଗରପାଳ କେଶବ ଭୂତିଆ ଦାବି କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଅଧିକ ରାଜସ୍ବ ଦେଉଥିବା ତଥା ଦେଶର ସବୁଠାରୁ ଅଧିକ କୋଇଲା ଉତ୍ପାଦନ ସହିତ ଏସିଆର ସର୍ବବୃହତ ବିଦ୍ୟୁତ କାରଖାନା ଥିବା ତାଳଚେରର ଗୁରୁତ୍ୱକୁ ଉପଲବ୍ଧି କରି ରାଜ୍ୟ ସରକାର ଏହାକୁ ସ୍ୱତନ୍ତ୍ର ଜିଲ୍ଲା ଘୋଷଣା କରିବାକୁ ସେ ଦାବି କରିଛନ୍ତି।
ଭୌଗୋଳିକ ଓ ଜନ ସଂଖ୍ୟା ଦୃଷ୍ଟିରୁ କଣିହାଁ ବ୍ଲକକୁ ସ୍ବତନ୍ତ୍ର ଉପଖଣ୍ଡ କରିବା ସହିତ ଖମାର ଓ ପବିତ୍ର ନଗର ଅଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର ନୂତନ ବ୍ଲକ ଗଠନ କରିବାକୁ ସେ ଦାବି କରିଛନ୍ତି। ଯଦି ସରକାର ତାଳଚେରବାସୀଙ୍କ ଏହି ଦାବି ପ୍ରତି ଆନ୍ତରିକତା ନଦେଖାନ୍ତି ତେବେ ଆଗାମୀ ଦିନରେ ତାଳଚେର ବାସୀ ଆନ୍ଦୋଳନକୁ ଓହ୍ଲେଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଶ୍ରୀ ଭୂତିଆ କହିଛନ୍ତି।