ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଡିଏଫ୍ଓ ନିତ୍ୟାନନ୍ଦ ନାୟକଙ୍କୁ ଧରିଛି ଭିଜିଲାନ୍ସ। ତନାଘନା ବେଳେ କୁବେର ବାବୁଙ୍କର ୧୧୫ଟି ପ୍ଲଟ୍ ଠାବ ହୋଇଛି। ଅନୁଗୁଳ, କେନ୍ଦୁଝର ଓ ନୟାଗଡ଼ର ୭ଟି ଠିକଣାରେ ଏବେ ବି ତଦନ୍ତ କରୁଛି ଭିଜିଲାନ୍ସ। ଶ୍ରୀ ନାୟକଙ୍କ ଠାରୁ ନଗଦ ୧ ଲକ୍ଷ ୧୯ ହଜାର ଟଙ୍କା, ୨ଟି ଚାରିଚକିଆ ବାହନ ଆଦି ଜବତ ହୋଇଛି। ଭିଜିଲାନ୍ସ ବିଭାଗ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।
ସୂଚନାଯୋଗ୍ୟ, ନିତ୍ୟାନନ୍ଦ ନାୟକ ୧୯୯୨ ଏପ୍ରିଲ ୫ ତାରିଖରେ ଫରେଷ୍ଟ ରେଞ୍ଜର ଭାବେ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ। ଅନୁଗୁଳସ୍ଥିତ ଏଫ୍ଆରସିରେ ତାଲିମ ଶେଷ କରି ସୁନ୍ଦରଗଡ଼ ଫରେଷ୍ଟ ଡିଭିଜନ ଅଧୀନ ହେମଗିରି ରେଞ୍ଜରେ ରେଞ୍ଜ ଅଧିକାରୀ ଭାବେ ଅବସ୍ଥାପିତ ହୋଇଥିଲେ। ଏହା ପରେ ସେ ୧୯୯୨ ଅକ୍ଟୋବର ୧୫ରୁ ୨୦୧୫ ମେ ୨୭ ପର୍ଯ୍ୟନ୍ତ ଫରେଷ୍ଟ ରେଞ୍ଜର ଭାବେ ସମ୍ବଲପୁର, ଢେଙ୍କାନାଳ, ସୁବର୍ଣ୍ଣପୁର ଓ ନୂଆପଡ଼ା ଜିଲ୍ଲାର ଭିନ୍ନଭିନ୍ନ ରେଞ୍ଜରେ କାମ କରିଥିଲେ। ସେ ଓଡ଼ିଶା ବନ୍ୟ ସେବା (ଓଏଫ୍ଏସ୍)କୁ ପଦୋନ୍ନତି ପାଇ ୨୦୧୫ ମେ ୨୭ରେ ଖରିଆର ଡିଭିଜନର ଏସିଏଫ୍ ହୋଇଥିଲେ। ୨୦୧୭ ସେପ୍ଟେମ୍ବର ୬ରୁ ୨୦୨୨ ଅଗଷ୍ଟ ୩୦ ଯାଏଁ ରାୟଗଡ଼ା ଫରେଷ୍ଟ ଡିଭିଜନର ଏସିଏଫ୍ ଥିଲେ। ଏହା ପରେ ୨୦୨୨ ସେପ୍ଟେମ୍ବର ୭ରେ ପଦୋନ୍ନତି ପାଇ ଅତିରିକ୍ତ ବନ୍ୟ ସଂରକ୍ଷକ ହୋଇଥିଲେ। ଭୁବନେଶ୍ବର ପିସିସିଏଫ (ବନ୍ୟପ୍ରାଣୀ) କାର୍ଯ୍ୟାଳୟରେ ୨୦୨୨ ଅଗଷ୍ଟ ୩୧ରେ ଯୋଗ ଦେଇଥିଲେ। ଏହା ପରେ ସେ ପୁଣି ଥରେ ୨୦୨୪ ଜାନୁଆରି ୨୪ ତାରିଖରେ ପଦୋନ୍ନତି ପାଇଁ କେନ୍ଦୁଝର କେନ୍ଦୁପତ୍ର ଡିଭିଜନରେ ଡିଏଫ୍ଓ ହୋଇଥିଲେ।